ନୂଆଦିଲ୍ଲୀ: ପୂର୍ବରୁ ରାଜା-ମହାରାଜା କୌଣସି ଗୁରୁତ୍ବପୂର୍ଣ୍ଣ ଘୋଷଣା ପାଇଁ ସର୍ବସାଧାରଣରେ ଡିଣ୍ଡିମ ପିଟୁଥିଲେ । ଏହା ଦ୍ବାରା ସମସ୍ତ ଲୋକଙ୍କ ନିକଟରେ ସୂଚନା ପହଞ୍ଚୁଥିଲା । ହେଲେ ସମୟ ବଦଳିବା ସହ ପରମ୍ପରା ମଧ୍ୟ ବଦଳିଯାଇଥିଲା । ହେଲେ ବର୍ତ୍ତମାନର ଟେକନୋଲେଜୀ ଯୁଗରେ ମଧ୍ୟ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ଏହି ପଦ୍ଧତିକୁ ଆପଣାଇଛନ୍ତି । ଛାତ୍ରଙ୍କୁ ସୂଚନା ପହଞ୍ଚାଇବା ପାଇଁ ସେ ହ୍ବାଟ୍ସଆପ୍ ବଦଳରେ ଲାଉଡ ସ୍ପିକରର ବ୍ୟବହାର କରିଛନ୍ତି ।
ଦିଲ୍ଲୀ କିରଣ ବିହାରର ସରକାରୀ ସର୍ବୋଦୟ ଶିଶୁ ବିଦ୍ୟାଳୟର ଶିକ୍ଷକ ଅଜୟ ଆର୍ଯ୍ୟ ନିଜ ଛାତ୍ରମାନଙ୍କୁ ଅନଲାଇନ କ୍ଲାସ ସମ୍ପର୍କରେ ଅବଗତ କରାଇବାକୁ ଲାଉଡ ସ୍ପିକରର ସାହାଯ୍ୟ ନେଇଛନ୍ତି । ସେ ଲାଉଡ ସ୍ପିକର ଧରି ସ୍କୁଲର ସମସ୍ତ ଛାତ୍ରଙ୍କ ଗଳିକନ୍ଦି ବୁଲିଛନ୍ତି ଏବଂ ସେମାନଙ୍କୁ ଏହି ସୂଚନା ଦେଇଛନ୍ତି । ତେବେ ଯେଉଁ ଛାତ୍ରଙ୍କ ନିକଟରେ ଅନଲାଇନରେ ପାଠ ପଢିବାର ସୁବିଧା ନାହିଁ ସେମାନଙ୍କୁ ୱାର୍କ ନୋଟ ନେବା ପାଇଁ ସ୍କୁଲକୁ ଆସିବାକୁ କହିଛନ୍ତି ।
ଏହି ପଦକ୍ଷେପ ବିଷୟରେ ଶିକ୍ଷକ ଅଜୟ କହିଛନ୍ତି, ଠିକଣା ଏବଂ ଫୋନ୍ ନମ୍ବର ଭୁଲ ବୋଲି ଦର୍ଶାଇ ଆମେ ଆମର ଦାୟିତ୍ବରୁ ଦୂରେଇ ଯାଇ ପାରିବୁ ନାହିଁ। କୋଭିଡ -19 ମହାମାରୀ ଯୋଗୁଁ ଆମେ ପିଲାଙ୍କର ବର୍ଷ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହୁଁ। ସରକାରୀ ବିଦ୍ୟାଳୟରେ ପଢିବାକୁ ଆସୁଥିବା ପିଲାମାନେ ଏଭଳି ପରିବାରରୁ ଆସିଛନ୍ତି, ଯେଉଁଠାରେ ଅନଲାଇନ୍ ଶିକ୍ଷା ବିଷୟରେ ସଚେତନତା ନାହିଁ। ଏମସିଡି ସ୍କୁଲରେ 5ମ ପର୍ଯ୍ୟନ୍ତ ପଢିବା ପରେ ଛାତ୍ରମାନେ ଜାଣି ନଥିଲେ ଯେ ସେମାନଙ୍କ ନାମ ଷଷ୍ଠ ଶ୍ରେଣୀରେ ଲେଖାଯାଇଛି ଏବଂ ସେମାନଙ୍କ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଛି। ହେଲେ ସେମାନେ ଏବିଷୟରେ ଅବଗତ ନୁହନ୍ତି ।
ସେପଟେ ଷଷ୍ଠ ଶ୍ରେଣୀର ବହୁତ କମ ପିଲା ଅନଲାଇନରେ ପାଠପଢିବା ପାଇଁ ସକ୍ଷମ ଅଛନ୍ତି । ତେଣୁ ସେମାନଙ୍କୁ ୱାର୍କ ନୋଟ ନେବା ପାଇଁ ବିଦ୍ୟାଳୟକୁ ଆସିବାକୁ ଉତ୍ସାହିତ କରିଛନ୍ତି ଶିକ୍ଷକ ଜଣକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ