ନାସିକ: ଏବେ ପ୍ରାୟତଃ ବିଭିନ୍ନ ସ୍କୁଲରେ ପିଲାଙ୍କୁ ମାଡ ମାରିବା ବ୍ୟାନ ହୋଇଥିବାବେଳେ ଏହି ନିୟମକୁ କିନ୍ତୁ କଡାକଡି ପାଳନ କରାଯାଉନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକରେ। ଏକ ପ୍ଲେ ସ୍କୁଲରେ ପାଞ୍ଚ ବର୍ଷର ପିଲାକୁ ମାଡ ମାରି ହଟହଟା ହୋଇଛନ୍ତି ଶିକ୍ଷକ। ଯାହା ଫଳରେ ତାଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି।
ସୂଚନା ଅନୁସାରେ, ଶୁକ୍ରବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। ଯେତେବେଳେ ଶିଶୁଟି ଘରକୁ ଯାଇଛି ମୁହଁରେ ଦାଗ ଦେଖି ଶିଶୁର ଅଭିଭାବକ ଘଟଣା ସମ୍ପର୍କରେ ଜାଣିବାକୁ ପହଞ୍ଚିଯାଇଥିଲେ ସ୍କୁଲରେ। ଏହାପରେ ସମସ୍ତଙ୍କ ଉପସ୍ଥିତିରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା।
ଫୁଟେଜରୁ ଏହା ଜଣାପଡିଥିଲା ଯେ, ଶିକ୍ଷକ ଶିଶୁଟିକୁ ଅତ୍ୟନ୍ତ ନିର୍ଦ୍ଦୟ ଭଳି ଚାପୁଡା ପରେ ଚାପୁଡା ମାରିଚାଲିଥିଲେ। ଏହାପରେ ତୁରନ୍ତ ଉକ୍ତ ଶିକ୍ଷକଙ୍କ ପ୍ରତି କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲା ସ୍କୁଲ। ତାଙ୍କୁ ନିଲମ୍ବନ କରାଯିବା ସହ ଶିଶୁର ପରିବାର ପକ୍ଷରୁ ଏକ ଏତଲା ଥାନାରେ ମଧ୍ୟ ଦିଆଯାଇଛି।