ରାଇରଙ୍ଗପୁର: ସାମାନ୍ୟ ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ହତ୍ୟା । ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ନଡା କୁଟାରେ ପୋଡି ଦେଲେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ଠାକୁରମୁଣ୍ଡା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ ।
ପତ୍ରପୋଡା ମାଂସରୁ ହତ୍ୟା:
ଘଟଣା ଘଟିଥିଲା ଗତ 16 ତାରିଖରେ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ଗ୍ରାମ ସ୍ଥିତ ସାପ୍ତାହିକ ହାଟକୁ ଆସିଥିବା ଜଡବିଲ ଗ୍ରାମର ଭଦ୍ରୁ ମହାନ୍ତ (୬୦) ଓରଫ (କନ୍ଦା) । କନ୍ଦା ମହାନ୍ତ ମଦ ପିଇବା ପାଇଁ ଏକ ଦୋକାନରୁ ପତ୍ରପୋଡା ମାଂସ (ପତୁଆ ମାଂସ) ଓ ଚଣା ଆଣି ଖାଇଥିଲେ । ଟଙ୍କାକୁ ନେଇ ଟଣାଓଟରା ହୋଇଥିଲା । ଏହାକୁ ନେଇ ଦୁଇ ଦୋକାନୀ ଯଥା ରଞ୍ଜିତ ମହାନ୍ତ (୨୯) ଏବଂ ଘନଶ୍ୟାମ ଜାମୁଡା (୨୩)ଙ୍କ ଯୁକ୍ତିତର୍କ ହୋଇଥିଲା । ଉଭୟେ ତାଙ୍କୁ କୁଟା ପକାଇ ଜଳାଇ ଦେଇଥିଲେ ।
ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡି ଦେଲେ:
କନ୍ଦାଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ଉଭୟେ ନଡା କୁଟାରେ ପୋଡି ଦେଇଥିଲେ । ମୃତଦେହଟି ଅଧାପୋଡା ଥିବା ବେଳେ ଖବର ପାଇ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । କେସ୍ ନଂ ୧୨୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ସହିତ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲେ । ତେବେ ପଚରାଉଚରା ପରେ ଏହା ହତ୍ୟା ହେଇଥିବା ଜାଣି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ସହ ଏକ ଟିମ ଗଠନ କରି ତଦନ୍ତ କରିବା ସହିତ ହତ୍ୟାର ୪୮ଘଣ୍ଟା ଭିତରେ ଦୁଇ ଅଭିଯୁକ୍ତକୁ ସଫଳତାର ସହି ଗିରଫ କରିଥିଲେ । ଗତକାଲି(ଗୁରୁବାର) କ୍ରାଇମ ରିକ୍ରିଏସନ କରିଥିଲା ଠାକୁରମୁଣ୍ଡା ଥାନା ପୋଲିସ । ତେବେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିବା ପରେ ଉଭୟଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଛି ।
ଦୁଇ ଭାଇ ଗିରଫ, ପୂର୍ବରୁ ମଧ୍ୟ ଝଗଡା ହୋଇଥିଲା:
ଏନେଇ କରଞ୍ଜିଆ ଏସଡିପିଓ ସୁବ୍ରତ କୁମାର କହିଛନ୍ତି, ‘ଗତ 16 ତାରିଖ ରାତିରେ ଏକ ଖବର ଆସିଥିଲା କେନ୍ଦୁଜିଆଣୀ ହାଟରେ କିଛି ଗୋଟେ ଜଳୁଛି । ଖବର ପାଇ ପୋଲିସ ପହଞ୍ଚିଥିଲା । କୁଟା ତଳେ ଅଧାପୋଡା ମୃତଦେହ ଦେଖିବାକୁ ମିଳିଥିଲା । ରାତିରେ ମୃତଦେହର ଚିହ୍ନଟ ହୋଇପାରିନଥିଲା । ସକାଳେ ମୃତଦେହ ଚିହ୍ନଟ ହୋଇଥିଲା । ଏହି ମୃତଦେହଟି କନ୍ଦାଙ୍କର ଥିଲା । ତାଙ୍କ ବଡଭାଇ ମୃତଦେହ ଚିହ୍ନଟ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ମଦ ପିଇବା ପରେ ଦୋକାନୀରୁ ଚଣା ଓ ପତ୍ରପୋଡା ଆଣି ଖାଇଥିଲା । ଦୁଇ ଅଭିଯୁକ୍ତଙ୍କ ପୂର୍ବରୁ ମୃତ କନ୍ଦାଙ୍କ ବଚସା ଥିଲା । ଏହାକୁ ନେଇ ସେମାନଙ୍କ ରାଗ ଥିଲା । ଟଙ୍କାକୁ ତାଙ୍କ ଠାରୁ(ମୃତକ)ଙ୍କ ଛଡାଇ ଥିଲେ । ମହୁଲି ନିଶାରେ ସେ ମାତାଲ ଥିବା ବେଳେ ତାଙ୍କୁ କୁଟା ପକାଇ ଜଳାଇ ଦେଇଥିଲେ । ଉଭୟଙ୍କୁ ଗିରଫ କରି ତଦନ୍ତ ଚାଲିଛି ।’
ଇଟିଭି ଭାରତ, ରାଇରଙ୍ଗପୁର