ବେଙ୍ଗାଲୁରୁ: ଓଡିଶା ବାହାରେ ଓଡିଆ ଖାଦ୍ୟ । ବିଭିନ୍ନ ପ୍ରକାରର ସ୍ବସାଦୁ ଓଡିଆ ବ୍ୟଞ୍ଜନ । ରାଜ୍ୟର ବିଭିନ୍ନପ୍ରାନ୍ତର ଓଡିଆ ଖାନା । ପୂର୍ବଠାରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁ ଜାଗାର ଖାଦ୍ୟ ଗୋଟିଏ ସ୍ଥାନରେ । ପଖାଳ ଭାତଠାରୁ ଆଳୁ ମଟନ କଷା । କାଞ୍ଜି ତୋରାଣିଠାରୁ ମାଛ ବେସର । ଗୋଟିଏ ଜାଗାରେ ସୁଆଦିଆ ଓଡିଆ ଖାନା ।
ଏହା ହେଉଛି ବେଙ୍ଗାଲୁରୁରେ ଆମ ଓଡିଆ ଭୋଜିର ଦୃଶ୍ୟ । ଯାହା ଏକ ଫୁଡ ଫେଷ୍ଟିଭାଲ୍। ଏଥିରେ ଓଡିଆର ସମସ୍ତ ପ୍ରକାର ବ୍ୟଞ୍ଜନ ପ୍ରଦର୍ଶିତ କରାଯାଇଥିଲା । ଓଡିଶା ବାହାର ଲୋକଙ୍କୁ ଆମ ପାରମ୍ପରିକ ଓ ନୂଆ ଖାଦ୍ୟ ବିଷୟରେ ଧାରଣା ଦେବା ମେଳାର ଲକ୍ଷ୍ୟ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । କେବଳ ଓଡିଆ ଖାଦ୍ୟପ୍ରେମୀ ନୁହେଁ ବାହାର ରାଜ୍ୟର ଲୋକେ ମଧ୍ୟ ଏହି ଶାନଦାର ଓଡିଆ ଖାନାର ମଜା ନେଇଥିଲେ ।
ଏହି ମେଳାକୁ ଆୟୋଜନ କରିଥିଲେ ବେଙ୍ଗାଲୁରୁରେ ବସବାସ କରୁଥିବା କିଛି ଓଡିଆ ଖାଦ୍ୟପ୍ରେମୀ । ସେମାନେ ହେଲେ ଅନୁପମ ବେହେରା, ପ୍ରିୟା ନନ୍ଦା, ଅଙ୍କିତ ମହାନ୍ତି, ବିଶ୍ବଜିତ ମହାପାତ୍ର ଓ ବୈଭବ ଦେୱାନ । ସମସ୍ତ ଖାଦ୍ୟ ତିଆରି କରିବାର ଦାୟିତ୍ବ ନେଇଥିଲେ ଓଡିଆ ସେଫ ସ୍ମୃତି ସୁରଜିତା ମହାନ୍ତି, ତପ୍ତି ପଟ୍ଟନାୟକ ଓ ସାଇ ପ୍ରିୟା । ମେଳାରେ ମିଳିଥିବା ଥିବା ଖାଦ୍ୟ ଭଜା ଓ ମାଛ ସହ ପଖାଳ ଭାତ, କାଞ୍ଜି ତୋରାଣି, ଗରମ ଭାତ ସହ ମଟନ ଆଳୁ କଷା, ବିରି ପିଠା ଓ ଡାଲମା, ମଟନ ମୁଢି, ଚିଙ୍ଗୁଡି ଘାଣ୍ଟ, ମାଛ ବେସର ଭଳି ସୁଆଦିଆ ଖାଦ୍ୟ ।
ଏପରିକି ଷ୍ଟ୍ରିଟ ଫୁଡ ଲଭର୍ସଙ୍କ ପାଇଁ ଏହି ମେଳାରେ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଗୁପଚୁପ, ଦହିବରା ଆଳୁଦମ, ବରା ଘୁଘୁନି ଓ ଛେନାପୋଡ ଭଳି ଖାଦ୍ୟର ମଜା ମଧ୍ୟ ନେଇଥିଲେ ଖାଦ୍ୟପ୍ରେମୀ । ଏହା ବେଙ୍ଗାଲୁରୁରେ ଓଡିଆ ସମ୍ପ୍ରଦାୟ ଦ୍ବାରା ଆୟୋଜିତ ପ୍ରଥମ ଫୁଡ ଫେଷ୍ଟିଭାଲ ହୋଇଥିବାବେଳେ ଏହାକୁ ଖାଦ୍ୟପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି ।