ଚେନ୍ନାଇ: କେନ୍ଦ୍ର ସରକାର ଅନଲକ-1 ଘୋଷଣା କରିବା ପରେ ତାମିଲନାଡୁରେ ବଢିଲା ଲକ ଡାଉନ ଅବଧି । କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ 30 ଯାଏଁ ଲକଡାଉନ ବଳବତ୍ତର ରଖିବାକୁ କେନ୍ଦ୍ର ପକ୍ଷରୁ ଗତକାଲି ଘୋଷଣା କରିଥିବାବେଳେ ଆଜି ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି ତାମିଲନାଡୁ ସରକାର ।
ଦେଶର ସର୍ବାଧିକ କୋରୋନା ସଂକ୍ରମିତ ରାଜ୍ୟ ମଧ୍ୟରୁ ତାମିଲନାଡୁ । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସତ୍ତ୍ବେ ରାଜ୍ୟରେ ସଂକ୍ରମଣ ଥମିବାର ନାଁ ଧରୁନି । ଶନିବାର ଗୋଟିଏ ଦିନରେ ସର୍ବାଧିକ 938 ମାମଲା ଚିହ୍ନଟ ସହ ବର୍ତ୍ତମାନ ରାଜ୍ୟରେ 21,184 ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି । ଫଳରେ ରାଜ୍ୟରେ ଜୁନ 30 ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଏଥିରେ କେତେକ କଟକଣା କୋହଳ କରାଯାଇଛି ।
ଆସନ୍ତାକାଲି ଏହି ନୂଆ ନିୟମ ଲାଗି ହେବାକୁ ଯାଉଛି । ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ସେମାନଙ୍କ ପରିସରରେ ଅଧିକ କର୍ମଚାରୀ ରହିବାକୁ ଅନୁମତି ଦିଆଯାଇଛି । ଆଇଟି କମ୍ପାନୀ ଏବଂ ଆଇଟି ସକ୍ଷମ ସେବାଗୁଡିକ 20% କର୍ମଚାରୀଙ୍କ ସହିତ ସର୍ବାଧିକ 40 ଜଣଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ।
ଏହା ସହ କୌଣସି ଧାର୍ମିକ ସ୍ଥଳରେ କିନ୍ତୁ କଟକଣାକୁ କୋହଳ କରାଯିବ ନାହିଁ । ଆନ୍ତରାଜ୍ୟ ବସ ସେବା, ମେଟ୍ରେ ମଧ୍ୟ କଟକଣାରେ ରହିବ । ଜୁନ 1ରୁ ସର୍ବସାଧାରଣ ପରିବହନ ଆରମ୍ଭ ହେବ । କାଞ୍ଚିପୁରମ୍, ଚେଙ୍ଗଲପାଟ୍ଟୁ, ଚେନ୍ନାଇ ଏବଂ ଥିରୁଭାଲୁରକୁ ମାତ୍ରାଧିକ କୋରୋନା ପ୍ରଭାବିତ ଜିଲ୍ଲା ହୋଇଥିବାରୁ ଏଠାରେ 8 ଟି ଜୋନରେ ବିଭକ୍ତ କରାଯିବ। କାଞ୍ଚିପୁରମ୍, ଚେଙ୍ଗଲପାଟ୍ଟୁ ଏବଂ ଥିରୁଭାଲୁର ଜିଲ୍ଲାର 7 ଟି ଜୋନ୍ ଏବଂ ଚେନ୍ନାଇର 8 ଟି ଜୋନର ସାଧାରଣ ପରିବହନ ବନ୍ଦ ରହିବ । ବିନା ଇ ପାସରେ ଚଳାଚଳ କରିବ ଗାଡି । ସେହିପରି ଯଦି କଣ୍ଟେନମେଣ୍ଟ ଜୋନରେ ଅଫିସ ଓ କାରଖାନା ନାହିଁ ତେବେ ସେଠାକୁ ଅଧିକ କର୍ମଚାରୀ ଯାଇପାରିବେ । ସପିଂ ମଲ, ଗହଣା ଦୋକାନ ମଧ୍ୟ ବିନା କଣ୍ଟେନମେଣ୍ଟ ଜୋନରେ ଖୋଲା ରହିବ ।