ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଏବେ ଯାଞ୍ଚ କରିବ ସିବିଆଇ । ଏନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ । ସେ କହିଛନ୍ତି, ଦେଶରେ ନ୍ୟାୟ ଅଛି, ଏହି ନ୍ୟାୟ ସତ୍ୟ ନିକଟରେ ପହଞ୍ଚାଇବ । ସୁଶାନ୍ତଙ୍କ ମୃତ୍ୟୁର 66 ଦିନ ପରେ ଆଜି ବେଶ ଆଶ୍ବସ୍ତି ମିଳିଛି ବୋଲି ତିୱାରୀ କହିଛନ୍ତି ।
ମନୋଜ ତିୱାରୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଭାର ଦେଇ ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜାଣିବାକୁ ଚାହୁଁଛନ୍ତି ଏବଂ ପୀଡିତା ପରିବାର ସହ ଛିଡା ହୋଇ ନ୍ୟାୟ ଦାବି କରୁଛନ୍ତି।
ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଉଭୟ ମହାରାଷ୍ଟ୍ର ସରକାର ଏବଂ ମହାରାଷ୍ଟ୍ର ପୋଲିସ ଖୁସି ନାହାଁନ୍ତି । ଯେଉଁଥିରୁ ଏହା ସ୍ପଷ୍ଟ ଯେ, ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଏବଂ ପୋଲିସ ତଦନ୍ତ କରିବାକୁ ଚାହୁଁନାହାଁନ୍ତି ।
ବିଜେପି ସାଂସଦ କହିଛନ୍ତି, ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଯଦି କେହି ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରନ୍ତି, ତେବେ ଏହା ଦେଶରେ ତାହା ଘଟିବ ନାହିଁ । ସୁପ୍ରିମକୋର୍ଟଙ୍କ ରାୟ ଆଶା ବଢାଇଛି ଯେ, ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ