ଅହମ୍ମଦାବାଦ: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ 20 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 16 ଜଣ ଯୁବତୀ ରହିଛନ୍ତି । ଏବେ ଘଟଣାର ଛାନଭିନ କରୁଛି ପୋଲିସ । ଘଟଣାରେ ତକ୍ଷଶୀଳା କମ୍ପ୍ଲେକ୍ସର ବିଲଡର ଓ କୋଚିଂ ସେଣ୍ଟରର ମାଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।
2ୟ ମହଲାରେ କୋଚିଂ ସେଣ୍ଟର ଚାଲୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ତେଣୁ ଉପର ମହଲାରେ ଥିବା ଲୋକମାନେ ତଳକୁ ଆସିବାକୁ ବାଟ ପାଇନଥିଲେ । ଫଳରେ ସେଣ୍ଟରରେ ଥିବା ବହୁ ଛାତ୍ରଛାତ୍ରୀ ଫସି ରହିଥିଲେ । ଏହା ପରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଉପର ମହଲାରୁ ତଳକୁ ଡେଇଁଥିବାର କହିଛନ୍ତି ଜଣେ ଛାତ୍ର ।
ଘଟଣାସ୍ଥଳରେ ଉପସ୍ଥିତ ଥିବା 17 ବର୍ଷୀୟ ରୁସିତ ଭେକରିୟା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ହାତ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଘଟଣାକୁ ଅତି ନିକଟରୁ ଦେଖି ସେ ଭୟଭୀତ ହୋଇଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଯାଇ ତଳକୁ ଡେଇଁଥିଲେ । ରୁସିତ କହିବାନୁଯାୟୀ, ପ୍ରଥମେ କୋଚିଂର ତଳ ମହଲାରେ କିଛି ପେପେର ପୋଡି ଯାଇଥିବାର ଗନ୍ଧ ଆସୁଥିବାର କହି ରହିଯାଇଥିବା ବେଳେ ଧିରେ ଧିରେ ଧୂଆଁ ବଢିବାକୁ ଲାଗିଥିଲା । ଯାହାକୁ ଦେଖି ସମସ୍ତେ ଭୟଭୀତ ହେବା ସହ ଜୀବନ ବଞ୍ଚାଇବାକୁ ଝରକା ଖୋଲିଥିଲେ ।
ସେ ଆହୁରୀ ମଧ୍ୟ କୁହନ୍ତି, ଏହା ପରେ ସେମାନେ ଝରକା ପଟୁ ଦମକଳ ବାହିନୀ ଆସିଥିବାର ଦେଖିବାକୁ ପାଇଥିଲେ । ଏହାପରେ ତଳେ ଥିବା କର୍ମଚାରୀ ଓ କେତେକ ଲୋକେ ତଳକୁ ଡେଇଁବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତଳକୁ ଡେଇଁବା ବେଳେ ସୁରକ୍ଷା ପାଇଁ କୌଣସି ନେଟ କିମ୍ବା ଧରିବା ପାଇଁ କୌଣସି ବ୍ୟବସ୍ଥା ନଥିଲା । ଫଳରେ ରସୁତିଙ୍କ ହାତ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।