ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି । ଦୋଷୀ ପବନର କ୍ୟୁରେଟିଭ ପିଟିସନ ଉପରେ ହେବ ଶୁଣାଣି । ଜଷ୍ଟିସ ଏନ.ଭି ରମଣଙ୍କ 5ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ । ଗତ ଶୁକ୍ରବାର ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲା ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା । ନିର୍ଭୟା ମାମଲାର ସମସ୍ତ ଦୋଷୀଙ୍କୁ ତୃତୀୟ ଥର ପାଇଁ ଆସନ୍ତାକାଲି ଡେଥ ୱାରେଣ୍ଟ ଜାରି ହୋଇଛି ।
ଏହି ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ହିଁ ଜଣେ ଯିଏ କି କ୍ୟୁରେଟିଭ ପିଟିସନ ଆବେଦନ କରିନଥିଲା । ଏପରିକି ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ କୌଣସି କ୍ଷମା ଯାଚିକା ମଧ୍ୟ କରିନାହିଁ । ତେବେ ଯଦି କ୍ୟୁରେଟିଭ ପିଟିସନକୁ ଖାରଜ କରାଯାଏ ତେବେ, ନିଶ୍ଚତ ଘୁଞ୍ଚିପାରେ ଡେଥ ୱାରେଣ୍ଟ । କାରଣ କ୍ୟୁରେଟିଭ ପିଟିସନ ଦାଖଲ ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିପାରିବ । ଯଦ୍ବାରା ପୁଣି ଥରେ ନୂଆ ଡେଥ ୱାରେଣ୍ଟ ଜାରି ହେବ ।
ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟ ସମସ୍ତେ କ୍ୟୁରେଟିଭ ପିଟିସନ ସହ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିସାରିଲେଣି । ଆଉ ଏହି ସମସ୍ତ ଆବେଦନ ଖାରଜ ମଧ୍ୟ କରାଯାଇଛି । ସେପଟେ, ଅକ୍ଷୟ ମଧ୍ୟ ଖାରଜ ହୋଇଥିବା କ୍ୟୁରେଟିଭ ପିଟିସନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ପୁଣି ଥରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।
ସୌଜନ୍ୟ:@ANI