ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣର କାୟା ବିସ୍ତାର କରିବାରେ ଲାଗିଛି । ସୁପ୍ରିମକୋର୍ଟର ଜଣେ କର୍ମଚାରୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିସହିତ ସର୍ବୋଚ୍ଚ ଅଦାଲତର ଦୁଇଜଣ ରେଜିଷ୍ଟ୍ରାରଙ୍କୁ ହୋମ୍ କ୍ବାରେନଟାଇନକୁ ପଠାଯାଇଛି ଏବଂ ସେମାନେ କାହା କାହା ସମ୍ପର୍କରେ ଆସିଛନ୍ତି, ସେ ନେଇ ଯାଞ୍ଚ କରାଯାଉଛି ।
ତେବେ କର୍ମଚାରୀ ଜଣକ ଗତ ସପ୍ତାହରେ ଦୁଇଥର ସୁପ୍ରିମକୋର୍ଟ ଆସିଥିଲେ। ବର୍ତ୍ତମାନ କୋର୍ଟର ଅଧିକାରୀମାନେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଉପରେ ଆଲୋଚନା କରୁଛନ୍ତି।
କୋରୋନା ବିରୁଦ୍ଧ ଲଢୁଥିବା ଡାକ୍ତର, ପୋଲିସ୍, ସ୍ବଚ୍ଛତା କର୍ମଚାରୀ ମଧ୍ୟ ମାରାତ୍ମକ ଭୂତାଣୁର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଦେଶର ସର୍ବୋଚ୍ଚ ଅଦାଲତାରେ କର୍ମଚାରୀଙ୍କୁ କୋରୋନା ସଂକ୍ରମିତ ହେବା ମାମଲା ସାମ୍ନାକୁ ଆସିଛି।
ତେବେ କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ଅନଲାଇନ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ପ୍ରକ୍ରିୟା ଚାଲିଛି। କୋରୋନା ଭାଇରସ କାରଣରୁ ମାର୍ଚ୍ଚ 27 ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବିଚାରପତି ଓ ଓକିଲମାନେ ଅଲଗା ଅଲଗା କଠୋରୀରେ ବସି ନ୍ୟାୟିକ କାର୍ଯ୍ୟକଳାପ କରୁଛନ୍ତି ।