ନୂଆଦିଲ୍ଲୀ: ଏସିଡ ଆକ୍ରମଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଜର ରାୟ ଦେଇଛନ୍ତି । ଏହାକୁ ଏକ ଅସଭ୍ୟ ତଥା ବର୍ବର ଅପରାଧ ଭାବେ ବିବେଚନା କରିଛନ୍ତି ସୁପ୍ରିମକୋର୍ଟ । ଏଥିରେ ସମ୍ପୃକ୍ତ ଅପରାଧୀକୁ କୌଣସି ପରିସ୍ଥିତିରେ ଦୟା ଦେଖାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୨୦୦୪ ମସିହାରେ ହିମାଚଳ ପ୍ରଦେଶର ଜଣେ ୧୯ ବର୍ଷିୟା ପୀଡିତାଙ୍କ ଉପରେ ହୋଇଥିବା ଏସିଡ ଆକ୍ରମଣ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ମନ୍ତବ୍ୟ ଦେଇଛନ୍ତି । ପୀଡିତା ଜଣକ ଭୋଗୁଥିବା ଶାରୀରିକ କଷ୍ଟ ଏବଂ ମାନସିକ ଯନ୍ତ୍ରଣାକୁ କୌଣସି ଅନୁକମ୍ପା ରାଶି କିମ୍ବା ଦୋଷୀର ଦଣ୍ଡବିଧାନ ଭରଣା କରିପାରିବନି ବୋଲି ସେ କହିଛନ୍ତି । ଏହା ଏକ ଅକ୍ଷମଣୀୟ ଅପରାଧ । ଏଥିରେ ଅପରାଧୀକୁ କୌଣସି ପ୍ରକାର ଦୟା ଦେଖାଇବା ଉଚିତ ନୁହେଁ । ପୀଡିତା ଭୋଗିଥିବା କଷ୍ଟକୁ ଦେଖିଲେ କ୍ଷତିପୂରଣ ଭରଣା କିମ୍ବା କୌଣସି ଭାବପ୍ରବଣତାର ପ୍ରଶ୍ନ ଉଠୁନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ଏହାସହିତ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗି ସାରିଥିବା ଏହି ଘଟଣାର 2 ଅପରାଧୀଙ୍କୁ ଅଧିକ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏ ଏମ ଖାନବିଲକର ଓ ଅଜୟ ରାସ୍ତୋଗିଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରୁଥିଲେ । ୨୦୦୪ ଜୁଲାଇ ୧୨ରେ ହୋଇଥିବା ଏହି ଘଟଣାରେ ପୀଡିତାଙ୍କ ଶରୀରର ୧୬ ପ୍ରତିଶତ ପୋଡିଯାଇଥିଲା । ପୋଲିସ ରୁଜୁ କରିଥିବା ମାମଲାର ବିଚାର କରି ସ୍ଥାନୀୟ କୋର୍ଟ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଏବଂ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦ୍ଦେଶ କରିଥିଲେ।
ତେବେ ଏହି ମାମଲାରେ ହାଇକୋର୍ଟ କାରାଦଣ୍ଡକୁ ୫ ବର୍ଷକୁ କମାଇବା ସହ ଜୋରିମାନାକୁ ୨୫ ହଜାର ଟଙ୍କାକୁ ବଢାଇ ଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ଭିତରେ ଅପରାଧୀ ଦୁଇ ଜଣ ଜେଲଦଣ୍ଡ ଭୋଗି ସାରିଥିବାବେଳେ ତାଙ୍କୁ ଆଉ ଅଧିକ ଟଙ୍କା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।