ନୂଆଦିଲ୍ଲୀ: ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧି ସେମାନଙ୍କର ଯେଉଁ ସମ୍ପତ୍ତି ବିବରଣୀ ଦାଖଲ କରୁଛନ୍ତି ତାହାର କାହିଁକି ଯାଞ୍ଚ ହେଉନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ବିହୀତ ପଦକ୍ଷେପ କାହିଁକି ଗ୍ରହଣ କରିନାହାନ୍ତି ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି ।
ଏକ ସ୍ବେଚ୍ଛାସେବୀ ସଂଗଠନ ଲୋକପ୍ରହରୀ ଦ୍ବାରା ଏହା ଉପରେ ଏକ ମାମଲା ଦାୟର ହୋଇଛି । ଏଥିରେ ପଚରାଯାଇଛି ଯେ ଲୋକ ପ୍ରତିନିଧି ସେମାନଙ୍କ ସମ୍ପତ୍ତି ଘୋଷଣା କରିଥିବାବେଳେ ନିର୍ବାଚନ ପରେ ଏହା ଉପରେ କାହିଁକି ଯାଞ୍ଚ ହେଉନାହିଁ । ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ସେମାନଙ୍କ ସମ୍ପତ୍ତି ଘୋଷଣା କରିଥାନ୍ତି । କିନ୍ତୁ ନିର୍ବାଚିତ ହେବା ପରେ ଏଥିରେ ଆଶାତୀତ ବୃଦ୍ଧି ପାଇଥାଏ ତ କାହାର ସମ୍ପତ୍ତିର ତଥ୍ୟ ଭୁଲ ହୋଇଥାଏ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନ ମନ୍ତ୍ରଣାଳୟର ସଚିବ ଏ ଦିଗରେ କଣ ପଦକ୍ଷେପ ନେଇଛନ୍ତି ତାହା କୋର୍ଟକୁ ଜଣାଇବାକୁ ପଡିବ ।
ସୂଚନାଯୋଗ୍ୟ ଯେ ଗତବର୍ଷ ସୁପ୍ରିମକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏହାର ସଠିକ ପାଳନ ହୋଇନାହିଁ । ଲୋକ ପ୍ରତିନିଧିଙ୍କ ସମ୍ପତ୍ତିରେ ଅବୈଧ ବୃଦ୍ଧି ଗଣତନ୍ତ୍ରକୁ ଦୁର୍ବଳ କରିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି ।