ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶନିବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ରାୟ ଶୁଣାଣି କରିଛନ୍ତି । ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଶୁଣାଇଛନ୍ତି ଏହି ଐତିହାସିକ ରାୟ ।
ଖଣ୍ଡପୀଠ ବିବାଦୀୟ ସ୍ଥଳକୁ ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁସଲମାନଙ୍କୁ ଅଯୋଧ୍ୟାରେ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ସକାଳ ସମୟ 10.38
ସୁପ୍ରିମକୋର୍ଟ: ଅଯୋଧ୍ୟାରେ ଭଗବାନ ରାମ ଜନ୍ମ ହୋଇଥିବା ଦାବିକୁ କୌଣସି ପକ୍ଷ ବିରୋଧ କରିନାହାଁନ୍ତି । ଆସ୍ଥା, ବିଶ୍ବାସରେ ନିଷ୍ପତ୍ତି ହେବ ନାହିଁ । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ରିପୋର୍ଟରେ ମସଜିଦର କୌଣସି ଉଲ୍ଲେଖ ନାହିଁ । ଏଏସଆଇ ରିପୋର୍ଟ ଅନୁସାରେ, ବାବ୍ରୀ ମସଜିଦ୍ କୌଣସି ଖାଲି ସ୍ଥାନରେ ହୋଇନଥିଲା । ସେଠାରେ ପୂର୍ବରୁ କିଛି ଗୋଟିଏ ଢାଞ୍ଚା ଥିଲା । ଯାହାକି ଇସଲାମିକ ଢାଞ୍ଚା ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣର କୌଣସି ପ୍ରମାଣ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସକାଳ ସମୟ 10.50
ସୁପ୍ରିମକୋର୍ଟ, ଜମିର ମାଲିକାନା ଆଇନ ଅନୁସାରେ ସିଦ୍ଧ ହେବ। ମୁସଲିମ ପକ୍ଷ ବିବାଦୀୟ ଜମିର ମାଲିକାନା ପାଇଁ ବିଶେଷ ପ୍ରମାଣ ଦାଖଲ କରି ପାରିନଥିଲେ। 18 ଶତାବ୍ଦୀ ପର୍ଯ୍ୟନ୍ତ ସେଠାରେ ମୁସଲିମ ନମାଜ ପଢୁଥିବାର କୌଣସି ପ୍ରମାଣ ନାହିଁ । ସୀତା ରୋଷେଇ ଶାଳାରେ ହିନ୍ଦୁ ପୂଜା କରୁଥିଲେ।
ପୂର୍ବାହ୍ନ ସମୟ 11.00
ସୁପ୍ରିମକୋର୍ଟ: ମୁସଲିମ ପକ୍ଷଙ୍କୁ ଅନ୍ୟସ୍ଥାନରେ ଜମି ଦେବାକୁ ସର୍ବୋଚ୍ଚ ଅଦାଲତ ଆଦେଶ ଦେଇଛନ୍ତି । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ରାମ ବିରାଜମାନକୁ ଅଧିକାର ଦେଲେ କୋର୍ଟ।
ପୂର୍ବାହ୍ନ ସମୟ 11.05
ସୁପ୍ରିମକୋର୍ଟ: 5ଏକର ଜମି ସୁନି ୱାକଫ ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏହି ଜମି ଅଯୋଧ୍ୟାର ଯେକୌଣସି ସ୍ଥାନରେ ଦେବାକୁ ନିର୍ଦ୍ଦେଶ ରହିଛି। ଏହି ଜମିରେ ସୁନି ୱାକଫ ବୋର୍ଡ ମସଜିଦ ନିର୍ମାଣ କରିବେ।
ପୂର୍ବାହ୍ନ ସମୟ 11.14
ସୁପ୍ରିମକୋର୍ଟ: ବିବାଦୀୟ ଜମିକୁ ସର୍ବୋଚ୍ଚ ଅଦାଲତ ରାମଲାଲାଙ୍କୁ ପ୍ରଦାନ କଲେ । ଅର୍ଥାତ ବିବାଦୀୟ ଜମିକୁ ହିନ୍ଦୁଙ୍କ ସପକ୍ଷରେ ହସ୍ତାନ୍ତର କଲେ ସର୍ବୋଚ୍ଚ ଅଦାଲତ। ଆସନ୍ତା 3 ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।