ଭୁବନେଶ୍ବର: ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି...ବିଦେଶ ମାଟିରୁ ଗୁଞ୍ଜରିତ ତାଙ୍କର ଏହି ନାରା ଯୁବପ୍ରାଣରେ ବୈପ୍ଳବିକ ଚେତନା ଜାଗ୍ରତ କରାଇ ମୁକ୍ତିଯୁଦ୍ଧ ପାଇଁ ଭାରତୀୟଙ୍କୁ କରିଥିଲା ଅନୁପ୍ରେରିତ । ସେ ଥିଲେ ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା । ସ୍ଵାଧୀନତା ସଂଗ୍ରାମର ସଶସ୍ତ୍ର ସୂତ୍ରଧର । ଆଉ ଜଣେ ଏପରି ସାହସୀ ବୀର, ଯାହାଙ୍କ ଚିନ୍ତାଧାରା ଯୁବଗୋଷ୍ଠୀଙ୍କ ମନରେ ଭରିଦେଉଥିଲା ଦେଶପ୍ରେମର ବହ୍ନି । ନେତାଜୀ...ବାସ ଗୋଟିଏ ନାଁ ଥିଲା ଏହି ବ୍ୟକ୍ତିତ୍ବର ସବୁଠୁ ବଡ ପରିଚୟ ।
ଶେଷ ହେବାକୁ ଥିଲା ଉନବିଂଶ ଶତାବ୍ଦୀ । ଇଂରେଜ ଶାସକଙ୍କ କବଳରେ ଥିଲା ଭାରତ ବର୍ଷ । ଚାରିଆଡେ ନା ସ୍ଵାଧୀନତାର ଚର୍ଚ୍ଚା ହେଉଥିଲା ନା ଶୁଭୁଥିଲା ଇନ କଲାବ ଜିନ୍ଦାବାଦର ନାରା । ଏହି ମାହୋଲରେ ଓଡିଶାର କଟକ ଜିଲ୍ଲାରେ 23 ଜାନୁଆରୀ 1897ରେ, ପିତା ଜାନକୀନାଥ ବୋଷ ଏବଂ ମା' ପ୍ରଭାବତୀଙ୍କ କୋଳରେ ଜନ୍ମ ନିଅନ୍ତି ଭାରତର ଜଣେ ସୁଯୋଗ୍ୟ ସନ୍ତାନ । ଆଉ ସେହି ଦେଶଭକ୍ତଙ୍କ ନାଁ ଥିଲା ସୁଭାଷ ଚନ୍ଦ୍ର ବୋଷ । ସାରା ବିଶ୍ବରେ ସମ୍ମାନ ସାଉଁଟିଥିବା ସୁଭାଷ ବୋଷ ଥିଲେ କଟକ ମାଟିର ପୁଅ । ତାଙ୍କ ଶୈଶବ ଓ କିଶୋରାବସ୍ଥାର ମୂକସାକ୍ଷୀ ଥିଲା ସିଲଭିର ସିଟି । ଆଉ ସ୍ମୃତି ହୋଇ ରହିଛି ଓଡିଆ ବଜାରର ସେହି ଗଳି । ନିଜର ପ୍ରାଥମିକ ଶିକ୍ଷା ସୁଭାଷ କଟକର ରେଭେନସା କଲଜିଏଟ ସ୍କୁଲରେ ପୂରଣ କରିଥିଲେ। ପରେ କଲିକତାରୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ୧୯୨୦ ରେ ଆଇସିଏସ ପରୀକ୍ଷାରେ ଅଧିକାର କରିଥିଲେ ସ୍ଵତନ୍ତ୍ର ସ୍ଥାନ । ମାତ୍ର ଦେଶପ୍ରେମ ଓ ସମାଜରେ ବିପ୍ଲବ ଆଣିବା ଚିନ୍ତାଧାରାରେ ଅନୁପ୍ରାଣିତ ସୁଭାଷ ୧୯୨୧ ମସିହାରେ ଏହି ବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା ପରେ ସେ ଦେଶ ଓ ସମାଜ ପାଇଁ ଯାହା କରିଥିଲେ ତାହା ଚିରବନ୍ଦିତ, ପ୍ରେରଣାଦାୟୀ ଓ ଉଦାହରଣୀୟ ।
ମାଟି ମା'କୁ ପରାଧୀନତାର ବେଡିରୁ ମୁକ୍ତ କରିବା ପାଇଁ ଦେଶ-ବିଦେଶରେ ଆତ୍ମଗୋପନ କରି ବ୍ରିଟିଶ ବିରୋଧୀ ସଂଗ୍ରାମ ଚଳାଇଥିଲେ ସୁଭାଷ ଚନ୍ଦ୍ର ବୋଷ । ନେତାଜୀ ନାମରେ ପରଚିତ ଥିବା ଏହି କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ। ଛାତ୍ରାବସ୍ଥାରେ ବ୍ରିଟିଶ ସରକାର ବିରୋଧରେ ତାଙ୍କ ମନରେ ଜାଗୃତ ହୋଇଉଠିଥିଲା ବିପ୍ଳବର ନିଆଁ । ତାଙ୍କର ପ୍ରତିଟି ଶିରାପ୍ରଶିରାରେ ବହୁଥିଲା ଦେଶପ୍ରେମର ରକ୍ତ ।
ସଶସ୍ତ୍ର ଆନ୍ଦୋଳନଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ଏଥିପାଇଁ ଜାପନରେ ବନ୍ଦୀ ଭାରତୀୟ ସୈନିକଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ନେତାଜୀ । ଯାହା ପରବର୍ତ୍ତି ସମୟରେ ଅନେକ ଦେଶକୁ ବ୍ୟାପିଥିଲା । ସେହିଠାରୁ ସେ ଦେଇଥିଲେ ଦିଲ୍ଲୀ ଚଲୋ ଆହ୍ବାନ । ଆଉ ଏଥିସହ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମସିହା ଫେବ୍ରୁଆରିରେ ନେତାଜୀଙ୍କ ନେତୃତ୍ବରେ ଆଜାଦ ହିନ୍ଦ ଫୌଜ... କୋହିମା, ପଲେଲ ଭଳି କିଛି ଭାରତୀୟ ପ୍ରଦେଶ ଉପରେ ଆକ୍ରମଣ କରି ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିଲା। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି” ଏହା ଥିଲା ସୁବାସ ବୋଷଙ୍କ ସେହି ନାରା। ଯାହାକୁ ଅନୁସରଣ କରି ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇଥିବା କୋଟି କୋଟି ସ୍ବାଧୀନତା ସଂଗ୍ରମୀ ସ୍ବାଧୀନତା ଲଢ଼େଇରେ ଲମ୍ଫ ପ୍ରଦାନ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପନର ପରାଜୟ ପରେ ହାର ମାନିଥିଲା ଜର୍ମାନୀ। ଏଭଳି ସ୍ଥିତିରେ ‘ଆଜାଦ ହିନ୍ଦ ଫୌଜ’କୁ ଛାଡ଼ି ସୁଭାଷ ବୋଷଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା। ତେବେ କୁହାଯାଏ ଯେ, ଟୋକିଓ ଯିବା ବାଟରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ସୁବାସ ବୋଷଙ୍କ ମୃତ୍ୟୁ ହୋଇଛି। ହେଲେ ପରଦା ପଛର ଏହି ମହାନୟକଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ ।
ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନଙ୍କ ଶାସନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସତ୍ୟ ଓ ଅହିଂସା ନୀତିରେ ଅଗ୍ରସର ହୋଇ ଦେଶବାସୀ ଚାଖିଥିଲେ ସ୍ବାଧୀନତାର ସ୍ବାଦ । ଏବେ ଯଦି ଭାରତର ସ୍ବାଧୀନତା ସଂଗ୍ରାମର ସେହି ପୃଷ୍ଠା ଲେଉଟାଇବା ତାହେଲେ ପ୍ରତ୍ୟେକ ଶବ୍ଦରେ ‘ଆଜାଦ ହିନ୍ଦ ଫୌଜ’ ଏବଂ ନେତାଜୀ ସୁଭାଷ ସଂଘର୍ଷର କାହାଣୀ ଉଦଜିବୀତ ଥିବା ଦେଖିବାକୁ ମିଳିବ । ‘ଆଜାଦ ହିନ୍ଦ ଫୌଜ’ର ଅଦମ୍ୟ ସାହସ ଆଗରେ ଦିନେ ହାର ମାନିଥିଲେ ଇଂରେଜ ସରକାର। ଯାହା ଇତିହାସର ସ୍ଵର୍ଣ୍ଣିମ ପୃଷ୍ଠାରେ ଚିରଦିନ ପାଇଁ ଅମର ଅକ୍ଷରରେ ଲିପିବଦ୍ଧ। ଦେଶର ଏହି ମହାନାୟକଙ୍କ ବିଷୟରେ ଦେଶବାସୀ ମନ ଭିତରେ ଅନେକ ପ୍ରଶ୍ନ । ହେଲେ ଏହି ପ୍ରଶ୍ନ ଭିତରେ ଆଜିବି ତାଙ୍କ ପରାକାଷ୍ଠା ପ୍ରେରଣାର ସ୍ରୋତ ହୋଇ ଝରୁଛି । ମହାନ ଜନନାୟକଙ୍କ 125 ତମ ଜୟନ୍ତୀରେ ଶତ ପ୍ରଣାମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ