ସୁରଟ: ଦଶହରା ପାଇଁ ସାରା ଦେଶ ଉତ୍ସବ ମୁଖରିତ । ଏହି ଅବସରରେ ଗରବାର ଧୁନରେ ଝୁମୁଛନ୍ତି ଯୁବପିଢୀ । ବିଭିନ୍ନ ସ୍ଥାନରେ ଆୟୋଜିତ ଗରବା ଓ ଦାଣ୍ଡିଆ ନାଇଟ୍ସରେ ଦେଶବାସୀଙ୍କ ନୃତ୍ୟର ଯୋଶ ଦେଖିବାକୁ ମିଳୁଛି । କେଉଁଠି ହେଲମେଟ ପିନ୍ଧି ତ କେଉଁଠି ମୋଦି ମାକ୍ସରେ ଲୋକେ ଗରବା ନୃତ୍ୟ ପ୍ରଦର୍ଶିତ କରୁଛନ୍ତି । ଠିକ ଏହି ପରି ସୁରଟର ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ହାତରେ ସାନିଟାରୀ ନାପକିନ ଧରି ଗରବା ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
ଗୁଜୁରାଟ ରାଜ୍ୟର ସୁରଟରେ ଥିବା ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ଓ ଟେକ୍ନଲୋଜିର ଛାତ୍ରଛାତ୍ରୀମାନେ ଦଶହରା ଅବସରରେ ହାତରେ ସାନିଟାରୀ ନାପକିନ ଧରି ଗରବା ନାଚିଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଏହି ନୃତ୍ୟରେ ସାମିଲ ହୋଇଥିଲେ । ହାତରେ ସାନିଟାରୀ ନାପକିନ ଧରି ଗରବା ନାଚିବା ସହ ଏମାନେ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
ସାନିଟାରୀ ନାପକିନକୁ ନେଇ ଲୋକଙ୍କ ମନରେ ଏକ ନକାରତ୍ମକ ଭାବ ରହିଆସିଛି । ହେଲେ କିଛି ବର୍ଷ ହେବ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଏହା ସକାରାତ୍ମକତାରେ ପରିବର୍ତ୍ତିତ ହୋଇଛି । ତେବେ ସୁରଟରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ହାତରେ ସାନିଟାରୀ ନାପକିନ ଧରି ଗରବା ନାଚିବାର ଅଭିନବ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।