ହାଇଦ୍ରାବାଦ: ବହୁ ହୋହାଲ୍ଲା ସତ୍ତ୍ବେ ସଂସଦର ଉଭୟ ଗୃହରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଯାହାକୁ ନେଇ ଦେଶର କୋଣ ଅନୁକୋଣରେ ବ୍ୟାପକ ହିଂସାତ୍ମକ ପରିସ୍ଥିତି ଉପୁଜିଛି। ନାଗରିକତା ସଂଶୋଧନ ଆଇନକୁ ଅଧାଲୋକ ସମର୍ଥନ କରୁଥିବା ବେଳେ ଅଧାଲୋକ ଜୋରଦାର ବିରୋଧ କରୁଛନ୍ତି। ଏହାର ପ୍ରତିବାଦରେ ଆସାମରେ ଦେଖାଦେଇଛି ଅଣାୟତ ପରିସ୍ଥିତି।
ଗୋଟିଏ ଦେଶର ନାଗରକିତା ପ୍ରାପ୍ତ କରିବା ସାଧାରଣ କଥା ନୁହେଁ । ଏହି ମାମଲାରେ ଯଦି ଦେଖିବା ଭାରତ ଭଳି ଦେଶରେ ନାଗରିକତାକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଛି। CAAକୁ ନେଇ ଏବେ ନୁହେଁ ଦୀର୍ଘ ଦିନରୁ ଦେଶରେ ବିବାଦ ଲାଗି ରହିଛି। ଜୁଲାଇ 19, 2016ରେ ଲୋକସଭାରେ CAB ଉପସ୍ଥାପିତ ହୋଇଥିଲା । ପରେ ଗତ 12ରେ CAB ଆଇନରେ ପରିଣତ ହୋଇଛି।
ପ୍ରକାଶ ଯେ, 2019ରେ କେନ୍ଦ୍ର ସରକାର ନାଗରିକତା ସଶୋଂଧନ ବିଲ ଆଗତ କରିଥିଲେ। 1955ରେ ଆଗତ ନାଗରିକତା ସଂଶୋଧନ ବିଲରେ ଏକାଧିକ ସଶୋଂଧନ କରାଯାଇ, 2019ରେ ଏହା ସଂସଦର ଉଭୟ ଗୃହରେ ଆଗତ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସମ୍ପ୍ରଦାୟର ଅଣମୁସଲିମଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ଏହି ଶରଣାର୍ଥୀ 2014 ଡିସେମ୍ବର 31 ସୁଦ୍ଧା ଭାରତକୁ ଆସିଥିବେ। ଏହାସହିତ ଏମାନଙ୍କୁ ସରକାରଙ୍କ ପକ୍ଷରୁ 1920 ପାସପୋର୍ଟ ଆଇନ ଅନୁସାରେ ଅପ୍ରବାସୀ ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଆଇନଗତ ପ୍ରକ୍ରିୟାରେ କୋହଳ କରାଯାଇଥିବ।
ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ବହ୍ନି। ଚାରିଆଡେ ବିକ୍ଷୋଭ ସହ ଅଧାରାଜ୍ୟରେ ହିଂସାତ୍ମକ କାଣ୍ଡ ଘଟୁଛି । ବିଶେଷ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଆସାମ, ପଞ୍ଜାବ, ମେଘାଳୟ, ତେଲଙ୍ଗାନା ଭଳି ରାଜ୍ୟରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ରାଜନୈତିକ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ଆଇନ ଯୋଗୁଁ ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ସହ ଭେଦଭାବ ହେବ ବୋଲି ଆଶଙ୍କା କରି ଆନ୍ଦୋଳନ ଜାରି ରଖିଛନ୍ତି।
ଆସାମରେ ବହୁସଂଖ୍ୟାରେ ପ୍ରବାସୀ ବାସ କରୁଛନ୍ତି । ଏହା ଫଳରେ ରାଜ୍ୟର ମୂଳ ଜନସଂଖ୍ୟାରେ ପରିବର୍ତ୍ତନ ଆସିଛି। ଏମାନେ ଉପନିବେଶବାଦ ସମୟରୁ ବାସ କରୁଥିବାରୁ ତାଙ୍କୁ ଚିହ୍ନଟ କରାଯାଇପାରେ । କଂଗ୍ରେସ ଦଳର ବୋରଦୋଲୋଇଙ୍କ ଅଭିଯୋଗ ମୁତାବକ ବାଂଲାଦେଶୀ ମୁସଲିମଙ୍କୁ ରାଜ୍ୟରେ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରି ମହମ୍ମଦ ସାଦୁଲ୍ଲାଙ୍କ ନେତୃତ୍ବରେ ମୁସଲିମ ଲିଗ ସରକାର ରାଜ୍ୟର ଜନସଂଖ୍ୟା ଏବଂ ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ପାଇଁ ଉଦ୍ୟମ କରିଛନ୍ତି।
ଆସାମରେ ଦିନକୁ ଦିନ ଜନସଂଖ୍ୟାରେ ବ୍ୟାପକ ବୃଦ୍ଧିକୁ ଲକ୍ଷ୍ୟ ରଖି ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ବୋରଦୋଲୋଇ 1950ରେ ଅନୁପ୍ରବେଶ (ଆସାମରୁ ବହିଷ୍କୃତ) ଆଇନ ଆଣିଥିଲେ । ଏହାର ମୂଳଲକ୍ଷ୍ୟ ଥିଲା ତତ୍କାଳୀନ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାର କରିବା।
ଏହାପରେ 1951 ମସିହା ଜନଗଣନା ଅନୁସାରେ ଜାତୀୟ ନାଗରିକ ପଞ୍ଜିକରଣ ଆସାମରେ ଲାଗୁ ହେବାର ଥିଲା । 1950 ମସିହାରେ ବୋରଦୋଲୋଇଙ୍କ ମୃତ୍ୟୁ ଯୋଗୁଁ ଆସାମରେ ସେ ସମୟରେ ଏନଆଇସି ଲାଗୁ ହୋଇ ପାରିନଥିଲା । ଏହା ପରେ 1971ରେ ଅନୁପ୍ରବେଶକାରୀଙ୍କ ବିରୋଧରେ ସ୍ବର ଉଠାଇଥିଲା ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ୍ (ଏଏଏସୟୁ) ।
ଏହା ପରେ ଏଏଏସୟୁର ଅନୁପ୍ରବେଶକାରୀଙ୍କ ବିରୋଧରେ ଆନ୍ଦୋଳନ ଏବଂ ବିକ୍ଷୋଭ କାରଣରୁ ତତ୍କାଳୀନ କଂଗ୍ରେସ ସରକାର ରାଜ୍ୟରେ ଭାଙ୍ଗିଥିଲା ଏବଂ ଆସୋମ ଗଣ ପରିଷଦ (ଏଜିପି)ର ଉତଥାନ ହୋଇଥିଲା। ଏହାପରେ ଏଜିପି ପକ୍ଷରୁ ପ୍ରଫୁଲ ମହାନ୍ତ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ପରେ କେନ୍ଦ୍ରରେ ରାଜୀବ ଗାନ୍ଧୀଙ୍କ ସରକାର ଆସିବା ପରେ ଏସଏସୟୁ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିରେ ସ୍ବାକ୍ଷରିତ ହୋଇଥିଲା କି, ପ୍ରଥମେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ। ପରେ ଏମାନଙ୍କ ପରିଚୟ ପତ୍ର ରଦ୍ଦ କରାଯିବ ଏବଂ ଶେଷରେ ରାଜ୍ୟରୁ ତଡି ଦିଆଯିବ।
ଏଜିପି ସରକାର ଦୁଇ ଦୁଇ ଥର ରାଜ୍ୟରେ ଶାସନ କରିଥିଲେ ବି, ଆସାମରେ ଲାଗି ରହିଥିବା ଅନୁପ୍ରବେଶକାରୀ ସମସ୍ୟାର ସମାଧାନ କରିପାରିନଥିଲା। ପରେ ଏହାକୁ ଅସ୍ତ୍ରକରି ଭାରତୀୟ ଜନତା ପାର୍ଟି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା ।ଏପରିକି 2016ରେ ଏହି ପ୍ରସଙ୍ଗରେ ନିର୍ବାଚନ ଲଢି ଜିତିଥିଲା ବିଜେପି ।
ଭୟ:
ନାଗରିକତା ସଂଶୋଧନ ଆଇନକୁ ନେଇ ବେଶି ଚିନ୍ତିତ ଆସାମବାସୀ । ସାମାଜିକ, ସାଂସ୍କୃତିକ, ଭାଷାଗତ ଓ ରାଜନୈତିକ ପରିଚୟ ହଜେଇବାର ଭୟ ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ନାଗରିକତା ସଂଶୋଧନ ଆଇନ ଅନୁସାରେ, କୌଣସି ପ୍ରାବଧାନ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ କ୍ଷେତ୍ରରେ ଲାଗୁ ହେବ ନାହିଁ ଯେଉଁମାନେ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଆସୁଛନ୍ତି ଏବଂ ପଶ୍ଚିମ ବଙ୍ଗାଳର ପୂର୍ବ ସୀମା ଅଧିନିୟନ 1873 ଅନୁସାରେ ‘ଇନର ଲାଇନ’ରେ ଆସୁଥିବା ଅଞ୍ଚଳ । ସିଏଏର ଏହି ସବୁ ନିୟମକୁ ଯୋଗୁଁ ଆସାମବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି । ଧର୍ମ ନିରପେକ୍ଷତା ଓ ସାମ୍ପ୍ରଦାୟିକତା ବିଭାଜନକୁ ନେଇ ତର୍କ ବିତର୍କ ଲାଗି ରହିଛି । ଏପରି ସ୍ଥିତିରେ ସେମାନଙ୍କ ଉପରେ ସରକାରଙ୍କ ଧ୍ୟାନ ଦେବା ଆବଶ୍ୟକତା ରହିଛି।