ଆଗ୍ରା: 1999 ମସିହା, ଜୁଲାଇ 26 ତାରିଖ । ଦେଶ ପାଇଁ ଗର୍ବ ଓ ଗୌରବର ଦିନ । ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନ ସହିତ ଦେଶର ବୀର ଯବାନ ଲଢେଇ କରି ଦେଶ ପାଇଁ ଶହୀଦ ହୋଇଛନ୍ତି । ତେବେ ଆଜିର ଦିନରେ ଆମର ବୀର ଯବାନମାନେ ଶତ୍ରୁ ସହିତ ଲଢେଇ କରି ବିଜୟ ଆଣିଦେଇଥିଲେ । ସେବେ ଠାରୁ ଆଜିର ଦିନକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଆସୁଛି । ଆଜିର ଦିନରେ ଦେଶ ଆଗ୍ରାର 7 ଶହୀଦଙ୍କୁ ମନେପକାଉଛି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ ।
- ଆଗ୍ରାର ଏହି 7 ଜଣଙ୍କ ମଧ୍ୟରେ ଫତେହପୁର ସିକରୀ ଅଞ୍ଚଳର କାଜି ନିବାସୀ ହାବିଲଦାର କୁମାର ସିଂ ରହିଛନ୍ତି । ସେ କାରଗିଲ ଯୁଦ୍ଧ ସମୟରେ ଜାଟ ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ । ତେବେ ଶତ୍ରୁ ଦେଶ ସହିତ ଲଢିବା ସମୟରେ 7 ଜୁଲାଇରେ ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇଥିଲେ । ପରେ ତାଙ୍କୁ ମରଣୋତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର ।
- ମଲ୍ଲୁପୁର ନିବାସୀ ଧର୍ମବୀର ହାସନ 17 ଜାଟ ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ । ପରିବାର ବର୍ଗ ପୁଅର ବାହାଘର ପାଇଁ ଝିଅ ଖୋଜିବାରେ ବ୍ୟସ୍ତ ଥିଲେ । ଏହି ସମୟରେ ଯୁଦ୍ଧ ପାଇଁ ଡାକରା ଆସିଥିଲା, ଆଉ ଯୁଦ୍ଧ କ୍ଷେତ୍ରକୁ ବାହାରି ଯାଇଥିଲେ । ତେବେ ଶତ୍ରୁ ଦେଶ ସହିତ ଲଢୁଥିବା ସମୟରେ 30 ମଇ 1999 ମସିହାରେ ଶହୀଦ ହୋଇଥିଲେ ।
- ଗହରା କାଲା ନିବାସୀ ହସନ ମହମ୍ମଦ 22 ଗ୍ରେନୋଡିୟର୍ସରେ ଜିଡ଼ିଆର ଭାବେ କାର୍ଯ୍ୟରତ ଥିଲେ । ସେ କାଶ୍ମୀରରେ ନିଯୁକ୍ତି ପାଇଥିଲେ । ତେବେ ଦେଶ ଲଢୁଲଢୁ 30 ଜୁନ, 1999 ମସିହାରେ ଶହୀଦ ହୋଇଯାଇଥିଲେ ।
- ସେହିପରି ଅନ୍ୟ ଜଣେ ଶହୀଦ ହେଉଛନ୍ତି ଶ୍ୟାମବୀର ସିଂ । ଅକୋଲା ନିବାସୀ ଶ୍ୟାମବୀର ଜାଟ ରେଜିମେଣ୍ଟର ନାୟକ ପଦରେ କାଶ୍ମୀରରେ କାର୍ଯ୍ୟରତ ଥିଲେ । ତେବେ ଜୁଲାଇ 9, 1999 ମସିହାରେ ଶତ୍ରୁ ଦମନ ସମୟରେ ଶହୀଦ ହୋଇଥିଲେ ।
- ମୈନିପୁରୀର ମୂଳ ନିବାସୀ ଅମରୁଦ୍ଦିନ 22 ଗ୍ରେନେଡିୟର୍ସର ସିକ୍ୟୁ ଏଚଏମ ପୋଷ୍ଟରେ ନିୟୋଜିତ ଥିଲେ । 3 ଜୁଲାଇ 1999 ମସିହାରେ ଅମରୁଦ୍ଦିନ ଯୁଦ୍ଧ କରୁଥିବା ସମୟରେ ଦେଶ ପାଇଁ ଶହୀଦ ହୋଇଥିଲେ । ଏବେ ତାଙ୍କ ପରିବାର ଆଗ୍ରାରେ ରହୁଛନ୍ତି ।
- ସେହିଭଳି ଉଖରା ଗ୍ରାମର ମୋହନ ସିଂ ରାଜପୁତ 5 ପାରା ରେଜିମେଣ୍ଟରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ତେବେ ଶତ୍ରୁ ଗୁଳିରେ 24 ଜୁଲାଇ 1999 ମସିହାରେ ଜୀବନ ହାରିବା ସହିତ ଦେଶ ପାଇଁ ଶହୀଦ ହୋଇଥିଲେ ।
- ଫତେହବାଦର ଖଣ୍ଡେଲା ଟିକତପୁର ନିବାସୀ 25 ବର୍ଷୀଯ ଜିତେନ୍ଦ୍ର ସିଂ ଚୌହାନ ସେନାରେ ନାୟକ ପଦରେ ନିଯୁକ୍ତି ପାଇଥିଲେ। ସେ ମଧ୍ୟ 21 ଜୁଲାଇ, 1999 ମସିହାରେ ଶହୀଦ ହୋଇଥିଲେ ।
ଶହୀଦ ଜିତେନ୍ଦ୍ର ସିଂଙ୍କ ପତ୍ନୀ ସୁମନ କୁହନ୍ତି, ତାଙ୍କ ସ୍ବାମୀଙ୍କର ବୀରତା ପାଇଁ ତାଙ୍କୁ ଗର୍ବ ଲାଗେ । ବାହାଘରକୁ ମାତ୍ର 3 ବର୍ଷ ହୋଇଥିଲା । ସେହି ସମୟରେ କାରଗିଲରେ ଯୁଦ୍ଧ ହୋଇଥିଲା । ଆଉ ବାଟାଲିୟନ ପକ୍ଷରୁ ତାଙ୍କୁ ଡାକରା ଆସିଥିଲା । ଆଉ ଜିତେନ୍ଦ୍ର ସମସ୍ତଙ୍କ କଥାକୁ ଅଣଦେଖା କରି କାରଗିଲ ବାହାରି ଯାଇଥିଲେ । ଜୁନ ମାସରେ ଯୁଦ୍ଧ କ୍ଷେତ୍ରକୁ ଯାଇଥିବା ଜିତେନ୍ଦ୍ରଙ୍କ ପାର୍ଥିବ ଶରୀର ଜୁଲାଇ 21 ତାରିଖରେ ଘରକୁ ଫେରିଥିଲା ।
ସେହିଭଳି ଶହୀଦ ରାମବୀର ସିଂଙ୍କ ପତ୍ନୀ ମଧ୍ୟ ନିଜ ସ୍ବାମୀଙ୍କ ଦେଶପ୍ରେମ ପାଇଁ ବେଶ ଗର୍ବିତ ଥିବା କହିଛନ୍ତି । ସେ କହିଛନ୍ତି ଗୋଟିଏ ମାସ ପୂର୍ବରୁ ଛୁଟିରେ ଆସିଥିଲେ । ଏହି ସମୟରେ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଆସିଥିଲା । ଆଉ ସେ ଯୁଦ୍ଧ କ୍ଷେତ୍ରକୁ ବାହାରି ଯାଇଥିଲେ । ଯିବା ବେଳେ କହିଥିଲେ କି, ଆଉ ଫେରିବି କି ନାହିଁ ତାହା ଜଣାନାହିଁ । ଆଉ ତାଙ୍କ କଥା ସତ ମଧ୍ୟ ହୋଇଥିଲା । ସେହି ବର୍ଷ ଜୁଲାଇ 7 ତାରିଖରେ ତାଙ୍କ ପାର୍ଥିବ ଶରୀର ଆସିଥିଲା ।
ତେବେ ଆଗ୍ରାର ଏହି ବୀର ଯବାନଙ୍କ ପାଇଁ ଆଜି ଦେଶ ଗର୍ବିତ । ଦେଶପ୍ରେମ ନିଦର୍ଶନ ପାଲଟିଛନ୍ତି ଆମର ବୀର ଯବାନମାନେ । ଫଳରେ ଆଜି ଦେଶ ସେମାନଙ୍କୁ ପ୍ରଣାମ ଜଣାଉଛି ।