କଲୋମ୍ବୋ: ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ । ଅବଶ୍ୟ ତାଙ୍କର ଏହି ଗସ୍ତକୁ ପାରମ୍ପରିକ ଗସ୍ତ ଭାବେ ବିବେଚନା କରାଯାଉଛି । କାରଣ ନୂଆକରି ଦାୟିତ୍ଵ ନେବା ପରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀମାନେ ପ୍ରଥମେ ନିକଟତମ ବନ୍ଧୁ ରାଷ୍ଟ୍ର ଭାରତ ଗସ୍ତରେ ଆସିବାର ପରମ୍ପରା ଆଗରୁ ରହିଆସିଛି । ଏହି ପରମ୍ପରାକୁ ବଜାୟ ରଖି ରାଜପାକ୍ଷେ ଦାୟିତ୍ଵ ନେବା ପରେ ଭାରତ ଗସ୍ତ କରିଛନ୍ତି । ହେଲେ ବିଗତ କିଛିଦିନ ହେଲା ଶ୍ରୀଲଙ୍କା ଚୀନ ଆଡ଼କୁ ଢଳିବା ଏବଂ ଭାରତ ସହ ଶ୍ରୀଲଙ୍କାର କୂଟନୀତିକ ସମ୍ପର୍କରେ ଭଟ୍ଟା ଆସିବା ପ୍ରସଙ୍ଗରେ ମହିନ୍ଦ୍ରା ରାଜପାକ୍ଷେଙ୍କ ଏହି ଗସ୍ତକୁ କୂଟନୀତିକ ସ୍ତରରେ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଉଛି।
ଏହି ଭାରତ ମହାସାଗରୀୟ ଦ୍ଵୀପ ଦେଶର ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୨୦୧୯ରେ ଶେଷ ହୋଇଥିଲା। ଏଥିରେ ବିଜୟ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରାଙ୍କ ଭାଇ ଗୋଟାଭାୟା ରାଜପାକ୍ଷେ ପ୍ରଥମକରି ଭାରତକୁ ବୈଦେଶିକ ଗସ୍ତ କାର୍ଯ୍ୟକ୍ରମରେ ସାମିଲ୍ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରି ସରକାର ଗଠନ କରିବା ପରେ ନିଜର ‘ପଡ଼ୋଶୀ ପ୍ରଥମ’ ନୀତିକୁ ଆଧାର କରି ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ହେଲେ ଗୋଟାଭାୟାଙ୍କ ଭାରତ ଗସ୍ତ ଏବଂ ମହିନ୍ଦାଙ୍କ ଭାରତ ଗସ୍ତକୁ ସମାନ ଦୃଷ୍ଟିକୋଣରେ ବିଚାର କରାଯାଇପାରିବ ନାହିଁ । ଯଦିଓ ଗୋଟାଭାୟା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଶ୍ରୀଲଙ୍କାର ମୁଖ୍ୟସ୍ରୋତ ରାଜନୀତିରେ ସମ୍ପୃକ୍ତ ନୁହଁନ୍ତି। ନିର୍ବାଚନ ପୂର୍ବରୁ ତାଙ୍କର ମୁଖ୍ୟସ୍ରୋତ ଶ୍ରୀଲଙ୍କା ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ନିର୍ବାଚନ ପରେ ବି ସେ ନିଜର ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବାକୁ ଚାହାଁନ୍ତି।
ଜଣେ ଭିନ୍ନ ଧରଣର ବ୍ୟକ୍ତି ଭାବେ ଆଞ୍ଚଳିକ ସମ୍ପର୍କରେ ନିରପେକ୍ଷତା ବଜାୟ ରଖିବା ଲାଗି ପ୍ରଥମେ ଭାରତ ଗସ୍ତ କରିଥିଲେ। ତାଙ୍କର ନିକଟତମ ବ୍ୟକ୍ତିମାନେ କହନ୍ତି, ନିଜ ଭାଇଙ୍କ ଶାସନ ସମୟରେ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରିଥିବା ଗୋଟାଭାୟା ସେତେବେଳେ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଏଲାମ୍ ( ଏଲ୍ଟିଟିଇ)କୁ ହରାଇବା ଲାଗି ଯେଉଁ ସାମରିକ ଅଭିଯାନ ଆରମ୍ଭ ହୋଇଥିଲା ତାହାର ନେତୃତ୍ଵ ନେଇଥିଲେ। ଏହା ମେ’ ୨୦୦୯ ମସିହା କଥା। ସେତେବେଳେ ଭାରତ ଏଲ୍ଟିଟିଇକୁ ଧ୍ବସ୍ତ କରିବା ଲାଗି ଶ୍ରୀଲଙ୍କାକୁ ସହାୟତା କରିଥିଲା। ଆଉ ତାହାକୁ ସୁଚାରୁ ରୂପେ ବ୍ୟବହାର କରିବାର ମଙ୍ଗ ଧରିଥିଲେ କ୍ଷମତାପ୍ରାପ୍ତ ପ୍ରତିରକ୍ଷା ସଚିବ ଗୋଟାଭାୟା।
ଅନ୍ୟପକ୍ଷରେ ମହିନ୍ଦା ରାଜପାକ୍ଷେ କିନ୍ତୁ ଏହି ଦ୍ଵିତୀୟ କାଳରେ ଖୋଲାଖୋଲି ଭାବେ ଚୀନ ଆଡ଼କୁ ଢଳିଛନ୍ତି । ଚୀନ-ଶ୍ରୀଲଙ୍କା ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସେ ଅନେକ ଚୁକ୍ତି ବି ସ୍ଵାକ୍ଷର କରିଛନ୍ତି। ଏଥିରେ ଶ୍ରୀଲଙ୍କାରେ ବିକାଶମୂଳକ ପ୍ରକଳ୍ପ ଲାଗି ଚୀନର ସହାୟତାକୁ ଗ୍ରହଣ କରିବା ସହ ମହିନ୍ଦ୍ରା ଦକ୍ଷିଣ ଶ୍ରୀଲଙ୍କାରେ କିଛି ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ଚୀନ ସହାୟତାରେ ନିର୍ବାହ କରିଛନ୍ତି । ଏହାଦ୍ଵାରା ସେ ନିର୍ବାଚନୀ ଫାଇଦା ମଧ୍ୟ ପାଇବା ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ କାର୍ଯ୍ୟକାଳ ସମୟରେ ଶ୍ରୀଲଙ୍କାର ବୈଦେଶିକ ସମ୍ପର୍କ ଏବଂ ସହଯୋଗୀଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ ଥିଲା। ସେତେବେଳେ ଭାରତ ସହ ଶ୍ରୀଲଙ୍କାର ସମ୍ପର୍କ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା। ହେଲେ ଯୁଦ୍ଧ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କାକୁ ଉତ୍ତରଦାୟୀ କରିବା ଲାଗି ଯେତେବେଳେ ଜାତିସଂଘ ମାନବାଧିକାର ପରିଷଦରେ ଆଲୋଚନା ହୋଇଥିଲା ସେତେବେଳେ ଭାରତ ସେହି ପ୍ରସ୍ତାବକୁ ସମର୍ଥନ କରିଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପରେ ଉଭୟ ଦେଶ ଭିତରେ ଥିବା ସମ୍ପର୍କ ବିଗିଡ଼ିବାରେ ଲାଗିଲା। ଯଦିଓ ଏ ସମ୍ପର୍କ ସମ୍ପୂଣ୍ଣ ଭାବେ ବିଗିଡ଼ି ନାହିଁ, ହେଲେ ପୂର୍ବାବସ୍ଥା ଫେରାଇବା ଲାଗି ଦୁଇ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେବା ଆବଶ୍ୟକ। ଦୁଇଦେଶ ସମ୍ପର୍କର ଫାଟକୁ ମରାମତି କରିବା ଲାଗି ଆଗେଇ ଆସିବା ଜରୁରୀ।
୨୦୧୫ ନିର୍ବାଚନୀ ପରାଜୟ ଜାନୁୟାରୀ ୨୦୧୫ରେ ନିଜର ନିର୍ବାଚନ ପରାଜୟକୁ ସ୍ଵୀକାର କରି ନପାରି ରାଜପାକ୍ଷେ ସିଧାସଳଖ ଭାବେ ଭାରତଙ୍କୁ ଆଙ୍ଗୁଠି ଦେଖାଇଥିଲେ। ଏହା କାହାକୁ ଅଛପା ନଥିଲା ଯେ, ସେ ଚୀନ ଆଡ଼କୁ ଢଳିଥିଲେ। କିନ୍ତୁ ଭାରତ ବିପକ୍ଷରେ ତାଙ୍କର ଏହା ସବୁଠାରୁ ନ୍ୟୁନ ମନ୍ତବ୍ୟ ଥିଲା।
୨୦୧୭ରେ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ସ୍ଵଭାବିକ କରିବା ଦିଗରେ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଜଣେ ପରିପକ୍ଵ କୂଟନୀତିଜ୍ଞ ତରନ୍ଜିତ୍ ସିଂ ସାନ୍ଧୁଙ୍କୁ ଶ୍ରୀଲଙ୍କାରେ ନିଯୁକ୍ତି କରାଯାଇଥିଲା। ଆଶା କରାଯାଇଥିଲା ଉଭୟ ଦେଶ ଭିତରେ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇ ସମ୍ପର୍କକୁ ସୁଦୃଢ଼ କରାଯିବ। ତାଙ୍କ ନିଯୁକ୍ତି ସମୟରେ ବୈଦେଶିକ ନୀତି ସମୀକ୍ଷକମାନେ ଭାରତ-ପାକିସ୍ତାନ ସମ୍ପର୍କ ବିଗିଡ଼ିଥିବା ବିଷୟକୁ ସ୍ଵୀକାର କରୁଥିଲେ। ଏହି ସମ୍ପର୍କ ଅଧିକ ଭାବେ ଚୀନ୍ ଦ୍ଵାରା ନିଷ୍ପ୍ରଭ ହେଉଥିବା ସେମାନେ କହୁଥିଲେ। କିନ୍ତୁ ସାନ୍ଧୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କୂଟନୀତିକ ନିନ୍ଦା ଆରୋପ କାର୍ଯ୍ୟକ୍ରମକୁ ଆପଣାଇଥିଲେ। ଏହିପରି ନିନ୍ଦା ଆରୋପ ଭିତରେ ବି ରାଜପାକ୍ଷେ ଜଣେ ପରିପକ୍ଵ ଏବଂ ବାସ୍ତବବାଦୀ ନେତା ଭାବେ ଦୁଇ ଦେଶ ଭିତରେ ସୁସମ୍ପର୍କ ବୃଦ୍ଧିର ଆବଶ୍ୟକତାକୁ ଅନୁଭବ କରିଛନ୍ତି। ଏଣୁ ଭାରତ ସହ ଭଲ ସମ୍ପର୍କ ପାଇଁ ଚେଷ୍ଟା କରିଛନ୍ତି।
ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ ଯେତେବେଳେ ରାଜପାକ୍ଷେ ବିରୋଧୀ ଦଳ ନେତାର କୁର୍ସିରେ ବସିଥିଲେ ସେତେବେଳେ ସେ ତିନିଥର ଭାତ ଗସ୍ତରେ ଆସିଥିଲେ। ଗୋଟିଏ ଥର ନିଜ ପୁଅ ନମନକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ଏବେ ନିଜ ଭାଇଙ୍କ ନେତୃତ୍ଵାଧୀନ ସରକାରରେ ସେ ଆଉ ଏକ ନିର୍ବାଚନ ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଗୁରୁତ୍ଵପୂଣ୍ଣ କଥା ହେଉଛି, ଶ୍ରୀଲଙ୍କା ସମ୍ବିଧାନରେ ଏବେ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ସଂଶୋଧନ କରିବାକୁ ଯାଉଛନ୍ତି ଯାହା ଦ୍ଵାରା ପ୍ରଧାନମନ୍ତ୍ରୀଙ୍କୁ ଅଧିକ କ୍ଷମତା ଅର୍ପଣ କରାଯିବ। ଏହା ଶ୍ରୀଲଙ୍କାର ୧୫ତମ ସମ୍ବିଧାନ ସଂଶୋଧନ ହେବ।
ଏହି ସଂଶୋଧନ ସଫଳ ହେଲେ ପ୍ରଧାନମନ୍ତ୍ରୀଙ୍କ ରାଜନୀତିକ ଶକ୍ତି ବୃଦ୍ଧି ପାଇବ। ଏ ଭିତରେ ନୂଆ ସରକାର ପୁରୁଣା ସରକାରଙ୍କ ଅମଳରେ ହୋଇଥିବା ଚୁକ୍ତିଗୁଡ଼ିକର ପୁନଃ ସମୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମୀକ୍ଷା ପରେ ଯେଉଁଠାରେ ଆବଶ୍ୟକ ପଡ଼ିବ ଚୁକ୍ତିରେ ପରିବର୍ତ୍ତନ ତଥା ପୁନଃ ବୁଝାମଣା ବିଷୟ ମଧ୍ୟ ଚିନ୍ତା କରାଯାଇଛି। ଏପରିକି ମହିନ୍ଦ୍ରା ରାଜପାକ୍ଷେଙ୍କ ରାଷ୍ଟ୍ରପତିତ୍ଵ ସମୟରେ ହୋଇଥିବା ବୁଝାମଣା ବି ଏହି ସମୀକ୍ଷାରେ ସାମିଲ୍ ରହିଛି। ସେଥିରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି କଲୋମ୍ବୋ ବନ୍ଦର ନଗରୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଚୀନ ପାଣ୍ଠି ସହାୟତା କରୁଛି।
ଭାରତ ପାଇଁ ଏହା ଏକ ପ୍ରମୁଖ ଚିନ୍ତାର କାରଣ । ଭାରତର ଭୌଗୋଳିକ ସୀମାରେ ଏହାଦ୍ଵାରା ଚୀନର ପ୍ରଭାବ ବଢ଼ିବ ବୋଲି ଭାରତ ଆଶଙ୍କା କରୁଛି। ଯଦିଓ ଚୀନକୁ ପଛରେ ପକାଇବା ପାଇଁ ଶ୍ରୀଲଙ୍କା ଚାହୁଁନାହିଁ କିନ୍ତୁ ଭାରତ ସହ ସମ୍ପର୍କ କ୍ଷୁର୍ଣ୍ଣ କରିବାକୁ ବି ଶ୍ରୀଲଙ୍କା ଚାହୁଁନି। ଏହିକ୍ରମରେ ନୂଆ ନେତୃତ୍ଵ ଚୁକ୍ତିରେ ଦିଆଯାଇଥିବା କିଛି ସର୍ତ୍ତାବଳୀରେ ପରିବର୍ତ୍ତନ କରିପାରନ୍ତି।
ରାଜପାକ୍ଷେଙ୍କ ନିକଟତମ ସହଯୋଗୀଙ୍କ କହିବା ଅନୁସାରେ ଶ୍ରୀଲଙ୍କା ଯୁଦ୍ଧ ପର ସ୍ଥିତିକୁ ସମ୍ଭାଳିବା ଲାଗି ଅନେକ ବିକାଶମୂଳକ ତଥା ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛି। ଏଥିଲାଗି ଚୀନ୍ ହିଁ ଏକମାତ୍ର ଦେଶ ଯିଏ ସହାୟତାର ହାତ ବଢ଼ାଇଥିଲା। ‘ ଏହା ନୁହେଁ ଯେ, ଆମେ ପଶ୍ଚିମୀ ଦେଶଗୁଡ଼ିକୁ ଅର୍ଥ ମାଗିବା ଲାଗି ଯିବୁ ଯେଉଁମାନେ ନିଜର ରଣନୀତିକ ଇଚ୍ଛାକୁ ପୂରଣ କରିବା ଲାଗି ଅନେକ କିଛି ଶ୍ରୀଲଙ୍କାଠୁ ଆବଶ୍ୟକ କରିଥାଆନ୍ତି।
ଅପରପକ୍ଷେ ଭାରତ ଏ ଦିଗରେ ଶ୍ରୀଲଙ୍କାକୁ ସହାୟତା ଦେବାକୁ ସାମର୍ଥ୍ୟ ରଖି ନାହିଁ କି ଇଚ୍ଛା ରଖେନାହିଁ’ ବୋଲି ଶ୍ରୀଲଙ୍କାର ଜଣେ ପୂର୍ବତନ ପୁଞ୍ଜି ନିବେଶ ପ୍ରୋତ୍ସାହନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତଗସ୍ତ ସମୟରେ ରାଜପାକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବାରଣାସୀ, ସରସ୍ଵତୀ, ବୋଧଗୟା ଏବଂ ତିରୁପତି ଦର୍ଶନ କରି ପ୍ରସ୍ଥାନ କରିବେ ।