ନୂଆଦିଲ୍ଲୀ: ଦୀର୍ଘ ଦେଢମାସ ଧରି ଜାରି ରହିଥିବା ପ୍ରତିକ୍ଷାର ଅନ୍ତ ଘଟାଇ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଦିନ ତମାମ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ସୋନିଆଙ୍କ ହାତରେ ଦଳର ଦାୟୀତ୍ବ ଫେରାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିବେ ।
ତେବେ ବୈଠକରେ ତିନୋଟି ପ୍ରସ୍ତାବ ପାରିତ କରାଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲ କହିଛନ୍ତି । ରାହୁଲ ଗାନ୍ଧୀ ଯେପର୍ଯ୍ୟନ୍ତ ଦଳର ନେତୃତ୍ବ ନେଇଥିଲେ ତାହା ଖୁବ୍ ଭଲ ରହିଥିବା ପ୍ରଥମ ପ୍ରସ୍ତାବ ଥିଲା । ସେ ବ୍ୟବସାୟୀ ଚାଷୀ, ମୁଲିଆ, ମହିଳା ଏବଂ ଆଦିବାସୀଙ୍କ ପାଇଁ ସ୍ବର ଉତ୍ତୋଳନ କରିଥିଲେ । ତେବେ ଏହି ପ୍ରସ୍ତାବରେ ରାହୁଲଙ୍କୁ ଦଳ ଅଧ୍ୟକ୍ଷ ଭାବେ ପୁଣିଥରେ ଫେରିବାକୁ ନିବେଦନ କରାଯାଇଥିଲା । କିନ୍ତୁ ରାହୁଲ ମନା କରିଦେଇଥିଲେ ।
ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନିତ କରିବା ଦ୍ବିତୀୟ ପ୍ରସ୍ତାବ ଥିଲା ଯାହା ଉପରେ ସେ ସହମତି ପ୍ରକାଶ କରିଥିଲେ । ତୃତୀୟ ପ୍ରସ୍ତାବ ଜମ୍ମୁ କାଶ୍ମୀରକୁ ନେଇ ପାରିତ କରାଯାଇଥିଲା । ଯେଉଁଥିରେ ଘାଟିର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା ।
ସୋନିଆ ଗାନ୍ଧୀ ଏହା ପୂର୍ବରୁ 1998 ରେ ଦଳର ଅଧ୍ୟକ୍ଷ ଭାବେ ମନୋନିତ ହୋଇଥିଲେ । ତାଙ୍କ ନେତୃତ୍ବରେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିଥିଲା ଏବଂ 2004ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ନିର୍ବାଚନରେ ଭଲ ପ୍ରଦର୍ଶନ କରି ସରକାର ଗଢିଥିଲା । ତେବେ ସୋନିଆ ଗାନ୍ଧୀ ସବୁଠୁ ଅଧିକ ସମୟ ଧରି କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବାର ରେକର୍ଡ କରିଥିଲେ । ସେ 1998ରୁ 2017 ପର୍ଯ୍ୟନ୍ତ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଥିଲେ । ଏହାପରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ଦାୟୀତ୍ବ ସମ୍ଭାଳିଥିଲେ । କିନ୍ତୁ 2019 ଲୋକସଭା ନିର୍ବାଚନରେ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।