ପରିବାପତ୍ର ଦର...ସାଧାରଣତଃ ଗ୍ରୀଷ୍ମଋତୁରେ ସୂର୍ଯ୍ୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ବଢ଼ିଥାଏ ଏବଂ ବର୍ଷାଦିନ ଆସିଲେ ଖସିଥାଏ । ହେଲେ, କୋଭିଡ ସଂକଟ ସମୟରେ ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ବେ ସାରା ଦେଶରେ ପରିବାପତ୍ର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ 15 ଦିନରେ ସାରା ଉତ୍ତର ଭାରତରେ ଫୁଲକୋବି, ମଟର, ଟମାଟୋ, ଆଳୁ ଓ ପିଆଜର ଦର ଆକାଶ ଛୁଇଁଲାଣି । ପୁଣେରୁ କୋଲକାତା ଯାଏଁ, ଦିଲ୍ଲୀରୁ ଚେନ୍ନାଇ ଯାଏ...ସବୁଆଡେ...ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ପରିବା ଦର ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି । ବିନ୍ସ କେଜି ପିଛା ପ୍ରାୟ 80 ଟଙ୍କା ଏବଂ ବିଭିନ୍ନ ଛୁଇଁ ମଞ୍ଜି କେଜି 70 ଟଙ୍କାରେ ବିକ୍ରି ହେଉଥିବାରୁ ତେଲୁଗୁଭାଷୀ ରାଜ୍ୟ ଦୁଇଟିର ସାଧାରଣ ଗ୍ରାହକମାନେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କରାଯାଉଥିବା ଜହ୍ନି, କାକୁଡ଼ି, କଲରା ଇତ୍ୟାଦି ପରିବା ଚାଷ ପ୍ରଭାବିତ ହୋଇଛି ଏବଂ ପରିବା ଯୋଗାଣ ହ୍ରାସ ପାଇଥିବାରୁ ସାଧାରଣ ଲୋକେ ଘୋର ଅସୁବିଧା ଭୋଗୁଛନ୍ତି ।
ବିଭିନ୍ନ କାରଣରୁ ପନିପରିବା ଚାଷ କରାଯାଉଥିବା ଜମିର ଆକାର ସଙ୍କୁଚିତ ହେବାରେ ଲାଗିଛି ଏବଂ ପରିବହନ ଓ ଶ୍ରମିକ ମଜୁରି ବାବଦ ଖର୍ଚ୍ଚ ବୃଦ୍ଧି ପାଇଥିବା କାରଣରୁ ଅନ୍ୟ ରାଜ୍ୟର ଯୋଗାଣ ଉପରେ ନିର୍ଭର କରୁଥିବା ହାଇଦ୍ରାବାଦ ନଗରୀ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି । ଅନ୍ୟ ପକ୍ଷରେ, କର୍ଣ୍ଣାଟକ ଭଳି ସ୍ଥାନରେ ଅତ୍ୟଧିକ ଉତ୍ପାଦନ ଏବଂ ଚାହିଦା ଅଭାବରୁ କୃଷକମାନେ ସେମାନଙ୍କ ଉତ୍ପାଦକୁ ନଷ୍ଟ କରିବାରେ ଲାଗିଛନ୍ତି କିମ୍ବା ମାଗଣାରେ ବାଣ୍ଟି ଦେଉଛନ୍ତି। ଗୁଜରାଟରେ ଚିନାବାଦାମ ଚାଷୀ, ହିମାଚଳର ଟମାଟୋ ଚାଷୀ, ପଞ୍ଜାବ ଓ ହରିଆଣାର ଆଳୁ ଚାଷୀ ଏବଂ ତେଲୁଗୁ ରାଜ୍ୟର ପିଆଜ ଓ କାକୁଡ଼ି ଚାଷୀଙ୍କର ଏହି ତିକ୍ତ ଅନୁଭୂତି ରହିଛି । ଏବେ ମଧ୍ୟ, ପରିବହନ ବ୍ୟବସ୍ଥାର ଅଭାବ ଏବଂ କୋରୋନା ଭୟରେ ଶ୍ରମିକ ଉପଲବ୍ଧ ହେଉ ନଥିବା ସମୟରେ, ଦେଶର ବିଭିନ୍ନ ଭାଗରେ ଚାଷୀମାନେ ସେମାନଙ୍କ ପ୍ରୟାସ ବ୍ୟର୍ଥ ହେଲା ବୋଲି ମନସ୍ତାପ କରୁଛନ୍ତି ଏବଂ ଦୈନନ୍ଦିନ ଜୀବନରେ ଆବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ଉପଭୋକ୍ତାମାନେ ଚଢା ଦରରେ ଜିନିଷ କିଣିବାକୁ ବାଧ୍ୟ ହେଉଛନ୍ତି।
ଏଇ କିଛି ଦିନ ପୂର୍ବେ ଶହେ ଟଙ୍କାରେ ଛଅ କେଜି ପିଆଜ ମିଳୁଥିଲା । ହେଲେ ଏବେ ଏହା କେଜିକୁ 40 ଟଙ୍କା । ଘରୋଇ ବଜାରରେ ପିଆଜର ଦରବୃଦ୍ଧି ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ନିକଟରେ ପିଆଜ ରପ୍ତାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି । ବିଭିନ୍ନ ରିପୋର୍ଟରୁ ଜଣାଯାଏ ଯେ, ଗ୍ରାହକମାନଙ୍କୁ କିଛିଟା ଆଶ୍ବସ୍ତି ଦେବା ସକାଶେ ବଫର ଷ୍ଟକ ଭାବରେ 50,000 ଟନ ପିଆଜ ମହଜୁଦ ରଖିବା ଲାଗି ସରକାର ବିଚାର କରୁଛନ୍ତି । କେବଳ ପିଆଜ ନୁହେଁ... ବର୍ଷ ସାରା ଗ୍ରାହକଙ୍କୁ ଅନ୍ୟାନ୍ୟ ପରିବାପତ୍ର ମଧ୍ୟ ଉଚିତ ଦରରେ ଯୋଗାଇ ଦେବା ଲାଗି ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଜରୁରୀ ଆବଶ୍ୟକତା ରହିଛି । ଆକଳନରୁ ଜଣାଯାଇଛି ଯେ, ମହଜୁଦ କରି ରଖିବା ଲାଗି ଉପଯୁକ୍ତ ସୁବିଧା ନଥିବାରୁ ପ୍ରତି ବର୍ଷ ଆମ ଦେଶରେ ଉତ୍ପାଦିତ ଫଳ ଓ ପନିପରିବାର 18 ପ୍ରତିଶତ ନଷ୍ଟ ହେଉଛି ।
ପନିପରିବା ଭଳି ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ମହଜୁଦ କରି ରଖିବା ଲାଗି ଆବଶ୍ୟକତା ମୁତାବକ ଉପଯୁକ୍ତ ସ୍ଥାନରେ ଶୀତଳ ଭଣ୍ଡା ବ୍ୟବସ୍ଥା ନଥିବାରୁ ଆମ ଦେଶ ବର୍ଷକୁ 92 ହଜାର କୋଟି ଟଙ୍କାର କ୍ଷତି ସହୁଛି ! ଯଦିଓ ସରକାରଙ୍କ କହିବା ଅନୁସାରେ ସାରା ଦେଶରେ ତିନି କୋଟି ଟନ୍ରୁ ଅଧିକ କ୍ଷମତା ବିଶିଷ୍ଠ ଶୀତଳ ଭଣ୍ଡାର ସୁବିଧା ରହିଛି, ତଥାପି ସେଥିରୁ 75-80 ପ୍ରତିଶତ କେବଳ ଆଳୁ ରଖିବା ଲାଗି ବ୍ୟବହୃତ ହେଉଛି । ତେଣୁ ଏହି ବ୍ୟବସ୍ଥାରେ ସଂଶୋଧନ ପୂର୍ବକ ନୂତନ ଯୋଜନା କାର୍ଯ୍ୟକାରୀ କରିବାର ତୁରନ୍ତ ଆବଶ୍ୟକତା ରହିଥିବାର ସଂକେତ ମିଳୁଛି । ଦେଶର ବିଭିନ୍ନ ଭାଗରେ କେଉଁ ସବୁ ଫସଲ ନିମନ୍ତେ ଉପଯୁକ୍ତ ଓ ବ୍ୟାପକ ସୁବିଧା ସୁଯୋଗ ରହିଛି ସେ ସମ୍ପର୍କରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ସଂପୃକ୍ତ ପଞ୍ଚାୟତ ଅଞ୍ଚଳରୁ ତଥ୍ୟ ଆହରଣ କରିବା ଉଚିତ ଏବଂ ତଦନୁସାରେ, ଫସଲ କରିବା ଲାଗି ଏକ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରଣୟନ କରିବା ଆବଶ୍ୟକ । ଘରୋଇ ବଜାର ପାଇଁ ଆବଶ୍ୟକ ଫସଲ କାଟି ରଖିବା ପରେ ବଳକା ଶସ୍ୟକୁ ଚାହିଦା ଅନୁସାରେ ରପ୍ତାନୀ କରିବା ଉଚିତ । ଅଧିକ ଅମଳ ହାସଲ କ୍ଷେତ୍ରରେ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ବିଶ୍ବବିଦ୍ୟାଳୟର ସକ୍ରିୟ ଭୂମିକାକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଉଚିତ । ଏଭଳି ପ୍ରୟାସ ହେବା ଉଚିତ ଯେ, ଏହା ବଳରେ ଏକ ନୂତନ ଶକ୍ତିସଂପନ୍ନ ଭାରତର ଗଠନ ପ୍ରକ୍ରିୟା ଆରମ୍ଭ ହେବ ।