ସିମଲା: ହିମାଚଳପ୍ରଦେଶର ଜନଜାତି ଜିଲ୍ଲା ଲାହୋଲର ପାହାଡିଆ ଅଞ୍ଚଳରେ ବରଫ ଚିତାବାଘ ଦେଖିବାକୁ ମିଳିଛି । ସ୍ପୀତି ଘାଟିର କିବ୍ବର ଚିମମ ସହିତ କାଜା ଓ ଅନ୍ୟାନ୍ୟ ପାହାଡିଆ ଅଞ୍ଚଳରେ ବିଲୁପ୍ତପ୍ରାୟ ପ୍ରାଣୀ ଦେଖିବାକୁ ମିଳିଛି । ବରଫ ଚିତାକୁ ଦେଖିବା ପାଇଁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ହିମାଚଳପ୍ରଦେଶର ସ୍ପୀତିର ପୀନ ବୈଲି ଜାତୀୟ ପାର୍କ, ଚନ୍ଦ୍ରତାଲ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଓ କିବ୍ବର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ବରଫ ଚିତାବାଘର ଗତିବିଧିକୁ ଲକ୍ଷ୍ୟ ରଖିବା ପାଇଁ ବନ ବିଭାଗ ଦ୍ବାରା ଗୁପ୍ତ କ୍ୟାମେରା ଗୁଡିକ ଖଞ୍ଜାଯାଇଛି । ଗତ ବର୍ଷ ମଧ୍ୟ ସ୍ପୀତି ଘାଟିରେ 35ରୁ ଅଧିକ ଚିତାବାଘ କ୍ୟାମେରାରେ କଏଦ ହୋଇଥିଲା । ବିଲୁପ୍ତ ଭାବରେ ରହୁଥିବା ପ୍ରାଣୀରେ ସାମିଲ ହୋଇଥିବା ଏହି ଜାତିର ଚିତାର ବଂଶ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି । ବିଶେଷ ଭାବରେ ଥଣ୍ଡା ଅଞ୍ଚଳରେ ଦେଖାଯାଉଥିବା ଆଇବକ୍ସ ଓ ଲ୍ୟୁସିଆ ନାମକ ଚିତାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି । ସ୍ପୀତି ଘାଟିର କିବ୍ବର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର 2200ବର୍ଗ କି.ମି.ରେ ଅବସ୍ଥିତ ।
ଦିନକୁ ଦିନ ବରଫ ଚିତାବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୃଥିବୀର ପ୍ରାୟ 13ଟି ଦେଶରେ ସଂରକ୍ଷଣ ପାଇଁ ବିଭିନ୍ନ ଅଭିଯାନ ଚଳାଉଛନ୍ତି । ଭାରତର 5ଟି ରାଜ୍ୟ ଯଥା ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର,ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଦେଖିବାକୁ ମିଳେ । ବରଫ ଚିତା ବିଗ କେଟ ପରିବାରର ବଡ ପ୍ରଜାତି ଅଟନ୍ତି । ଯାହା ହିମାଳୟ ଅଞ୍ଚଳ ଉଚ୍ଚ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଦେଶରେ ଏମାନଙ୍କ ସଂଖ୍ୟା ମାତ୍ର 500 ରହିଥିବାବେଳେ ହିମାଚଳ ପ୍ରଦେଶରେ ଏମାନଙ୍କ ସଂଖ୍ୟା 100 ରହିଛି । ବର୍ତ୍ତମାନ ହିମାଚଳ ପ୍ରଦେଶରେ କେତେ ଅଛନ୍ତି ଏହାର ଗଣନା କରାଗଲେ ହିଁ କେତେ ଅଛନ୍ତି ଜଣାପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ