ଗୌହାଟୀ: ଏବେବି ସୁଧୁରୁନି ଆସାମର ବନ୍ୟା ସ୍ଥିତି । 30 ଜିଲ୍ଲାର 56,91,694 ଲୋକେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି ପାଇଛି । ଏନେଇ ବନ୍ୟା ପରିସ୍ଥିତିର ଆକଳନ ପାଇଁ 6 ଜଣିଆ କେନ୍ଦ୍ରୀୟ ଟିମ୍ ଆସାମ ପରିଦର୍ଶନ କରିବେ । ତେବେ ଚଳିତ ମାସ 26 ତାରିଖରେ ଆସାମ ଗସ୍ତ କରିବେ ଏହି କେନ୍ଦ୍ରୀୟ ଟିମ୍ ।
ତିନୋଟି ବନ୍ୟା ପରିସ୍ଥିତି ଚଳିତ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ବୋଲି ଶନିବାର ରାତିରେ ରାଜସ୍ୱ ବିଭାଗର କମିଶନର-ସଚିବ ଏମ୍ଏସ୍ ମଣିଭନନ୍ କହିଛନ୍ତି । ଆସାମ ସରକାର ମଧ୍ୟବର୍ତ୍ତୀକାଳୀନ ବନ୍ୟା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ପଠାଇଛନ୍ତି ଏବଂ କ୍ଷତିପୂରଣ ପାଇଁ ପାଖାପାଖି 2300 କୋଟି ଟଙ୍କା ମାଗିଛନ୍ତି ।
ଏହି ବନ୍ୟା ଜଳ ମଧ୍ୟ ରାସ୍ତା, ବ୍ରିଜ୍ ଏବଂ ବନ୍ଧ ସମେତ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟାଇଛି ବୋଲି ମଣିଭନନ୍ କହିଛନ୍ତି । ତେବେ NDRF ଏବଂ SDRF ଦ୍ୱାରା 80 ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ପ୍ରଥମେ ମଜୁଲି, ବାରପେଟା ଏବଂ ଲକ୍ଷ୍ମୀପୁର ଜିଲ୍ଲାରେ ବନ୍ୟା ଆଶ୍ରୟ ଗୃହ ନିର୍ମାଣ କରାଯିବ ବୋଲି ମଣିଭନନ୍ କହିଛନ୍ତି ।