ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ଏସଆଇଟି ଟିମ ଚାର୍ଜସିଟରେ ଏକ ବଡ଼ ଖୁଲାସା କରିଛି । 25-26 ଫେବୃଆରୀ ରାତିରେ ଜୋହରିପୁର ଏବଂ ଭାଗୀରଥୀ ଠାରେ ଯେଉଁ ଦଙ୍ଗା ହୋଇଥିଲା ତାକୁ ଏକ ହ୍ବାଟସ୍ଆପ ଗ୍ରୁପ ଅପରେଟ କରିଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ସେହି ଦିନ ରାତିରେ ଏହି ହ୍ବାଟସଆପ ଗ୍ରୁପ୍ ଗଠନ କରାଯାଇଥିଲା ।
ଏହି ଗ୍ରୁପରେ ସମୁଦାୟ 125 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସେହି ଦିନ ଗ୍ରୁପ ଚଳାଇବା ବେଳେ କିଛି ଲୋକ ଚାଟ୍ କରୁଥିଲେ ଏବଂ କିଛି ଲୋକେ ସେହି ଚାଟ ଅନୁସାରେ ଦଙ୍ଗାରେ ସକ୍ରିୟ ଥିଲେ । କିଛି ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ପରେ ଏହା ଜଣା ପଡିଛି । ତେବେ ଦଙ୍ଗାର ପରଦିନ ଅର୍ଥାତ୍ 27 ଫେବୃଆରୀରେ ଏହି ଅଞ୍ଚଳରେ ଚାରିଟି ମୃତଦେହ ଉଦ୍ଧାର କରାଯାଇଥିଲା । ଗୋକୁଲପୁରୀ ଦଙ୍ଗାରେ ପ୍ରାଣ ହରାଇଥିବା ଆମୀର ଅଲି ଏବଂ ହାସିମ ଅଲିଙ୍କ ମାମଲାରେ ମଧ୍ୟ 9 ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ।
ଦିଲ୍ଲୀ ଦଙ୍ଗା ଘଟଣାର ତଦନ୍ତ କରୁଥିବା ଏସଆଇଟି ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି । ଦିଲ୍ଲୀ ପୋଲିସ ପ୍ରକାଶ କରିଛି ଯେ ଏହି ହିଂସାର ମାଷ୍ଟରମାଇଣ୍ଡ ହେଉଛି ରାଜଧାନୀ ପବ୍ଲିକ ସ୍କୁଲର ମାଲିକ ଫୈଜଲ ଫାରୁକ୍ । ଏକ ବଡ ଷଡଯନ୍ତ୍ର କରି ଏହି ହିଂସା ଘଟିଥିବା ପୋଲିସ କହିଛି । ପୋଲିସ ଦାବି କରିଛି ଯେ ହିଂସା ପୂର୍ବରୁ ଫୈଜଲ ଫାରୁକ୍ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଅନେକ ନେତା, ପିଞ୍ଜାରା ଟଡ୍ ଗ୍ରୁପ୍, ନିଜାମୁଦ୍ଦିନ ମର୍କଜ, ଜାମିଆ ସମନ୍ବୟ କମିଟି ଏବଂ ଦେବବନ୍ଦର କିଛି ଧର୍ମଗୁରୁଙ୍କ ସହ ସମ୍ପର୍କରେ ଥିଲା । ହିଂସାର ଗୋଟିଏ ଦିନ ପୂର୍ବରୁ ଫୈଜଲ ମଧ୍ୟ ଦେବବନ୍ଦ ଯାଇଥିଲେ ବୋଲି ତାଙ୍କ ମୋବାଇଲରୁ ପ୍ରମାଣ ମିଳିଛି ।
ଏସଆଇଟିର ତଦନ୍ତରୁ ଜଣାପଡିଛି ଯେ ଏହି ସମସ୍ତ ଷଡଯନ୍ତ୍ର ଫୈଜଲ ଫାରୁକ୍ ଦ୍ବାରା କରାଯାଇଛି । ଉପଦ୍ରବିମାନେ ହିଂସା ଘଟାଇ ଡିଆରପି ସ୍କୁଲରେ ନିଆଁ ଲଗାଇଥିଲେ । ସ୍କୁଲର କମ୍ପ୍ୟୁଟର ଏବଂ ଦାମୀ ଜିନିଷ ଲୁଟ୍ କରିଥିଲେ । ଏହି ଲୋକମାନେ ନିକଟରେ ଥିବା ଅନ୍ୟ ଏକ କୋଠାକୁ ନିଆଁ ଲଗାଇ ଦେଇଥିଲେ, ଯେଉଁଠି ଅନୀଲ ସ୍ବୀଟସ୍ ନାମକ ଏକ ମିଠା ଦୋକାନ ଥିଲା । ଏହି ଦୋକାନର କର୍ମଚାରୀ ଦିଲବାର ନେଗି ମଧ୍ୟ ଦୋକାନରେ ଫସି ରହି ଜୀବନ୍ତ ଦଗ୍ଧ ହୋଇଥିଲେ ।
ଏହି ହିଂସା ମାମଲାରେ ଫୈଜଲ ଫାରୁକଙ୍କ ସମେତ 18 ଜଣଙ୍କୁ ଗିରଫ କରାଯାଇଛି । ଫୈଜଲଙ୍କ ନିର୍ଦ୍ଦେଶରେ ଡିଆରପି କନଭେଣ୍ଟ ସ୍କୁଲ, ଅନୀଲ ମିଠା ଦୋକାନ ଏବଂ ନିକଟସ୍ଥ 2 ଟି ବଡ଼ ପାର୍କିଂ ସ୍ଥାନରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ବିଦ୍ୟାଳୟର ଆରାକ୍ଷୀ, ପରିଚାଳକ ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ଆହୁରି ଲୋକେ ସାକ୍ଷୀ ଅଛନ୍ତି ।