ବିହାର(ମୁଜଫରପୁର): ଶିବାଙ୍ଗୀ ସ୍ବରୂପ...ଏହା ଏମିତି ଏକ ନାଁ, ଯିଏ ପୁଣି ଥରେ ସାରା ବିଶ୍ବରେ ବିହାରର ନାଁକୁ ଗୌରବାନ୍ବିତ କରିଛନ୍ତି । ମୁଜଫରପୁରର ପାରୁ ପ୍ରଖଣ୍ଡ ସ୍ଥିତ ଫତେହାବାଦର ଝିଅ ଶିବାଙ୍ଗୀ...2019ରେ ନିଜ ପିଲାବେଳର ସ୍ବପ୍ନ ପୂରଣ କରିବା ସହ ନୌସେନାର ପ୍ରଥମ ମହିଳା ପାଇଲଟ ଭାବରେ ନିଯୁକ୍ତି ପାଇବାରେ ଗୌରବ ଅର୍ଜନ କରିଥିଲେ । ଦେଶ ରକ୍ଷାର ଉତ୍ସାହ ଏବଂ ଆଖିରେ ପ୍ରଗାଢ ବିଶ୍ବାସ ଏବେ ଶିବାଙ୍ଗୀଙ୍କ ପରିଚୟ । ବିହାର ଏହି ଝିଅ ନୌସେନାରେ ହ୍ବାଇଟ୍ ଡୋର୍ନିୟର 228 ଟ୍ବିନ ଟର୍ବୋପ୍ରୋପ ( white Dornier 228 twin turboprop) ବିମାନ ଉଡାଉଛନ୍ତି । ଗତ ବର୍ଷ ଡିସେମ୍ବର 2ରେ ସେ କେରଳରେ ଅପରେସନାଲ ଡ୍ୟୁଟିରେ ସାମିଲ ହୋଇଥିଲେ ।
ଭାରତୀୟ ନୌସେନାରେ ଯୋଗ ଦେବା ସମୟରେ ଶିବାଙ୍ଗୀ କହିଥିଲେ ଯେ, ମୋ ପାଇଁ ଓ ମୋ ବାପାମା'ଙ୍କ ପାଇଁ ଏହା ଅତି ଗର୍ବର ବିଷୟ । ଏହି ସ୍ବପ୍ନ ପୂରଣ କରିବାକୁ ମୁଁ ଦୀର୍ଘ ସମୟ ଧରି ପରିଶ୍ରମ କରୁଥିଲି । ମୁଁ ମୋର ଏହି ଖୁସିକୁ ଶଦ୍ଦରେ କହିପାରୁନାହିଁ ।
ସବୁବେଳେ ସବୁ କାମକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆସିଛନ୍ତି ଶିବାଙ୍ଗୀ । ସେଥିପାଇଁ ତ ପୁରା ପରିବାର ତାଙ୍କ ପାଇଁ ଗର୍ବିତ । ସେହିଭଳି ଶିବାଙ୍ଗୀଙ୍କ ବାପା କୁହନ୍ତି, ସେ ଆରମ୍ଭରୁ ହିଁ ଜାଣିଥିଲେ କି ତାଙ୍କ ଝିଅ ଦିନେ ନା ଦିନେ କିଛି ଭଲ କରି ଦେଖାଇବ । ହେଲେ ଝିଅ ଏତେ ବଡ ସଫଳତା ହାସଲ କରିବା ଏଇଟା କେବେ ଭାବିନଥିଲି । ତେବେ ଝିଅର ଆଶାନୁରୂପ ସଫଳତାରେ ଖୁସି ମାଆ... ପୁଅ-ଝିଅ ମଧ୍ୟରେ ଭେଦଭାବ କରୁଥିବା ବାପାମା'ଙ୍କୁ ଏହା ଏକ ଶିକ୍ଷା ଦେଇଛନ୍ତି ।
ସେପଟେ ଫତେହାବାଦର ଗ୍ରାମବାସୀ ମଧ୍ୟ ଗାଁର ପ୍ରତିଭାବାନ ଝିଅ ଶିବାଙ୍ଗୀର ସଫଳତାରେ ଗର୍ବିତ ହେବା ସହ ବେଶ ଖୁସି ଅଛନ୍ତି । ତେବେ ପିଲାବେଳୁ କିଛି ଭିନ୍ନ କରିବାର ଶିବାଙ୍ଗୀଙ୍କ ଇଚ୍ଛା ପୁଣି ଥରେ ପ୍ରମାଣ କରିଛି ଯେ ଝିଅମାନେ ବି କାହାଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ