ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଏବେ ବି ବିଜେପି ଓ ଶିବସେନା ମଧ୍ୟରେ ଟଣା ଓଟରା ଜାରି ରହିଛି । ଶିବସେନା ମୁଖ୍ୟାଳୟରେ ପାର୍ଟିର ନୂଆ ବିଧାୟକଙ୍କ ବୈଠକ ଶେଷ ହୋଇ ସାରିଛି । ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପୁଣି ଥରେ 50-50 ଫର୍ମୁଲା ବିଷୟ ଉଠିଛି । ଏଥର କିନ୍ତୁ କଥାରେ ନୁହେଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଲିଖିତ ଆଶ୍ବାସନ ମାଗିଛି ।
ଶିବସେନା ଟିକଟରେ ସିଲ୍ଲୋଡରୁ ନିର୍ବାଚନ ଜିତିଥିବା ମୁସଲମାନ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି ଯେ ସେ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ବିଜେପି ଓ ଶିବସେନା ମେଣ୍ଟ ସମୟରେ ରାଜ୍ୟରେ ପ୍ରଥମ ଅଢେଇ ବର୍ଷ ଶିବସେନାର ମୁଖ୍ୟମନ୍ତ୍ରା ଓ ଏହାପର ଅଢେଇ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ରହିବା ନେଇ ସ୍ଥିର ହୋଇଥିବା ସତ୍ତାର ଦାବି କରିଛନ୍ତି ।
ଅବଦୁଲ ସତ୍ତାରଙ୍କ ଭଳି ଶିବ ସେନା ବିଧାୟକ ପ୍ରତାପ ସରନାଇକ ମଧ୍ୟ ଶିବସେନାର ମୁଖ୍ୟମନ୍ତ୍ରୀ ପାଇଁ ଦାବି ଜଣାଇଛନ୍ତି । ଶିବସେନାର ହିଁ ମୁଖ୍ୟମନ୍ତ୍ରୀ ହେଉ ବୋଲି ସବୁ ଶିବସୈନିକ ଚାହୁଁଥବା ସରନାଇକ କହିଛନ୍ତି । ଏ ନେଇ ଦଳର ମୁଖ୍ୟ ଉଦ୍ଧବ ଠାକରେ ବିଜେପିଠାରୁ ଲିଖିତ ଆଶ୍ବାସନ ଆଣିବେ ବୋଲି ସରନାଇକ ସୂଚନା ଦେଇଛନ୍ତି ।