ମୁମ୍ବାଇ : ରାମମନ୍ଦିର ମିର୍ମାଣ ପାଇଁ ଦେଶବ୍ୟାପୀ ସଂଗ୍ରହ ହେବାକୁ ଥିବା ଟଙ୍କା କେବଳ ଆସନ୍ତା 2024 ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିବା ଆଳରେ ବିଜେପି ଅଭିଯାନ ଆରମ୍ଭ କରିଥିବା ଶିବସେନା ଅଭିଯୋଗ କରିଛି । ସାଧାରଣ ନିର୍ବାଚନ ଆସୁଥିବା ବେଳେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ଆଳରେ ଦେଶ ବ୍ୟାପି ଟଙ୍କା ସଂଗ୍ରହ କରି ତାକୁ ଚତୁରତାର ସହ ନିର୍ବାଚନରେ ଖର୍ଚ୍ଚ କରିବା ବିଜେପିର ଲୁକ୍କାୟିତ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ।
ବିଜେପି ଏହାକୁ ଖଣ୍ଡନ କରିବା ସହ ଏହା ରାଜନୀତି କରିବାର ପ୍ରସଙ୍ଗ ନୁହେଁ ବୋଲି କହିଛି । ଶିବସେନାର ଏହି ଅଭିଯୋଗ ଭିତ୍ତିହୀନ, ଏପରି ଧର୍ମୀୟ ପ୍ରସଙ୍ଗକୁ ନେଇ ଶିବସେନା ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେପି । ଲୋକେ ନିଜେ ସ୍ବେଚ୍ଛାକୃତ ଭାବେ ମନ୍ଦିର ନିର୍ମାଣରେ ନିଜର ଯୋଗଦାନ ଦେବାକୁ ଉତ୍ସାହିତ ଥିବା କଥା କହିଛି ଦଳ ।
ଶ୍ରୀ ରାମ ଜନ୍ମଭୁମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ସମ୍ପତ ରାୟ ଗତ ସପ୍ତାହରେ କହିଥିଲେ ଦେଶବ୍ୟାପୀ ସାଧାରଣ ଲୋକଙ୍କ ଦାନରେ ହିଁ ଭବ୍ୟ ମନ୍ଦିରର ମିର୍ମାଣ କରାଯିବ । ଏଥିପାଇଁ ସମୂହ ଦାନ ସଂଗ୍ରହ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ଏହି ଟଙ୍କାରେ ହିଁ ଶ୍ରୀ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ । ଏହି ଭବ୍ୟ ମନ୍ଦିରର ନିର୍ମାଣ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଏହା କୋଟି କୋଟି ଭାରତ ବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ହେବ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ