ସ୍ବାବଲମ୍ବୀ ଭାରତ ଗଠନର ଲକ୍ଷ୍ୟ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ‘ବିଶ୍ବର ଫାର୍ମାସୀ’ରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଏବେ ବି ଆମେ 84 ପ୍ରତିଶତ ‘ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍ଗ୍ରେଡିଏଣ୍ଟ୍ସ’ (API) ବା ଔଷଧ ନିର୍ମାଣରେ ପ୍ରୟୋଗ କରାଯାଉଥିବା ସକ୍ରିୟ ସଂଘଟକ ଏବଂ ‘ଇଣ୍ଟରମେଡିଏଟ୍ସ’ ବା ଅନ୍ତରୀଣ ରାସାୟନିକ ଦ୍ରବ୍ୟର ମିଶ୍ରଣ ଆମଦାନୀ କରୁଛି ।
କେବଳ ଚୀନରୁ ଏହି ଆବଶ୍ୟକ ସାମଗ୍ରୀର 60 ପ୍ରତିଶତରୁ ଅଧିକ ଆସିଥାଏ । ଦୁଇ ଦଶନ୍ଧି ତଳ ଯାଏ, ଭାରତ ଘରୋଇ ଭାବରେ API ପ୍ରସ୍ତୁତ କରୁଥିଲା । ଆକ୍ରମଣାତ୍ମକ ଢଙ୍ଗରେ ଚୀନ ଏହାର ଉତ୍ପାଦନ ଆରମ୍ଭ କରିବା ଦିନରୁ ଶସ୍ତାରେ ଏହାକୁ ପାଇବା ଲାଗି ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଚୀନ ଆଡ଼କୁ ମୁହାଁଇଲେ । ଏମିତି କି ଆସ୍ପିରିନ୍ ଏବଂ କ୍ରୋସିନ୍ ଭଳି ଦୋକାନ କାଉଣ୍ଟରରେ ଉପଲବ୍ଧ ନିତିଦିନିଆ ଔଷଧ ପାଇଁ ମଧ୍ୟ ଘରୋଇ ଔଷଧ କମ୍ପାନିଗୁଡ଼ିକ ଚୀନ ଉପରେ ନିର୍ଭର କରୁଛନ୍ତି ।
ଏକ ସଂସଦୀୟ କମିଟିର ରିପୋର୍ଟ ଅନୁସାରେ, ଚୀନର ଔଷଧ ପ୍ରସ୍ତୁତି କ୍ଷେତ୍ର ଉପରେ ଭାରତର ନିର୍ଭରଶୀଳତା 23 ପ୍ରତିଶତ ବୃଦ୍ଧି ପାଇଛି । ଔଷଧ ଓ ଔଷଧପତ୍ର ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ପାଇବାକୁ ଚୀନ ଉପରେ ଅତି ମାତ୍ରାରେ ନିର୍ଭରଶୀଳ ହେବାର ପରିଣତି ସଂପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସତର୍କ କରାଇ ଦେଇଛନ୍ତି । ସୀମାରେ ଅତିକ୍ରମଣର ସଠିକ ଜବାବ ଦେବା ପରେ ଭାରତ ଚୀନରେ ଉତ୍ପାଦିତ ଦ୍ରବ୍ୟ ସଂପର୍କରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । କିନ୍ତୁ ପିଲାଙ୍କ କଣ୍ଢେଇ ଆମଦାନି ଉପରେ ନିଷେଧାଦେଶ ଭଳି ଜୀବନ ରକ୍ଷାକାରୀ API ଉପରେ ନିଷେଧାଦେଶ ଜାରି କରିବା ଏତେ ସହଜ ହୋଇନପାରେ ।
ଏହି ଆହ୍ବାନମୂଳକ ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଏକ ସଂସଦୀୟ କମିଟି ବିସ୍ତୃତ ସୁପାରିସ ସହିତ ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟରେ API ଉତ୍ପାଦନରେ ସ୍ବାବଲମ୍ବୀ ହେବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଛି । ଏହା ସହିତ, ପର୍ଯ୍ୟାପ୍ତ ମାତ୍ରାରେ ସାଧାରଣ ଔଷଧ ମହଜୁଦ ରଖିବା ଏବଂ ଔଷଧପତ୍ର ଉପରେ ବହିଃଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ କମିଟି ଦୃଢ଼ତାର ସହ ସୁପାରିସ କରିଛନ୍ତି । ସରକାର ଘରୋଇ ଔଷଧ ନିର୍ମାଣକାରୀ ସଂସ୍ଥାର ପୁନରୁଦ୍ଧାର କରିବା ସହିତ ବହୁ ପରିମାଣରେ ଔଷଧ ଉତ୍ପାଦନ କରିବାକୁ କେନ୍ଦ୍ର ସ୍ଥାପନ ଦିଗରେ ପ୍ରୟାସ କରିବା ଆବଶ୍ୟକ ।
ଦୁଇ ବର୍ଷ ତଳେ ବେଜିଂରେ ବିଭିନ୍ନ ପ୍ରଦୂଷଣକାରୀ ସଂସ୍ଥା ଉପରେ ଚଢ଼ାଉ ଯୋଗୁଁ ଭାରତରେ ଏଭଳି ବିପଜ୍ଜନକ ସ୍ଥିତି ଉପୁଜିଥିଲା ଯେ ଭିଟାମିନ୍-ସି କ୍ୟାପ୍ସୁଲର ଘୋର ଅଭାବ ଦେଖାଦେଇଥିଲା । କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରାଳୟ ପକ୍ଷରୁ 2015କୁ ‘API ବର୍ଷ’ ରୂପେ ଘୋଷଣା କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ଯେ, API ଉତ୍ପାଦନ କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଉଦ୍ଦେଶ୍ୟ ପୂରଣ ଦିଗରେ ସମନ୍ବିତ ପ୍ରୟାସ କରିବା । 2013ରେ ତତ୍କାଳୀନ ୟୁପିଏ ସରକାର, ଭି.ଏମ୍.କାଟୋଚ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଥୋକରେ ଔଷଧ ପ୍ରସ୍ତୁତିର ଗୁରୁତ୍ବ ଏବଂ ଭାରତୀୟ ଔଷଧ ବଜାରର ଚୀନ ଉପରେ ଅତି ମାତ୍ରାରେ ନିର୍ଭରଶୀଳତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ହିଁ କମିଟିର ଲକ୍ଷ୍ୟ ରହିଥିଲା ।
ବହୁଳ ପରିମାଣରେ ଔଷଧ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ ସହିତ ଚୀନ ଉପରେ ଅତି ନିର୍ଭରଶୀଳତା ହ୍ରାସ କରିବା ଦିଗରେ ବିଭିନ୍ନ ରିହାତି ସମ୍ବଳିତ ପ୍ୟାକେଜ୍ ପ୍ରଦାନ ଲାଗି କମିଟି ପ୍ରସ୍ତାବ ଦେଇଥିଲେ । ଏହା ସହିତ, ପ୍ରଦୂଷଣମୁକ୍ତ ଅଞ୍ଚଳ ଗଠନ ଏବଂ ରକ୍ଷଣାବେକ୍ଷଣ ଏବଂ ଅଧିକ ଗବେଷଣା କ୍ଷେତ୍ରରେ ସରକାର ସହଯୋଗ କରିବାକୁ କମିଟି ସୁପାରିସ କରିଥିଲେ । ଦୁର୍ଭାଗ୍ୟବଶତଃ, ଭାରତ ଏକମାତ୍ର ଦେଶ ଯେଉଁଠି ଗବେଷଣା ପାଇଁ ବି ସରକାରୀ ଅନୁମୋଦନ ଆବଶ୍ୟକ ହୋଇଥାଏ । ଶିଳ୍ପ ସଂସ୍ଥା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଅତୀତରେ ଛଅଟି ପେନ୍ସିଲିନ୍ ଜି ଉତ୍ପାଦନ କାରଖାନା ଥିଲା । କିନ୍ତୁ ସରକାରୀ ସହଯୋଗ ଅଭାବରୁ ସବୁଗୁଡ଼ିକ ଚୀନକୁ ସ୍ଥାନାନ୍ତରିତ ହୋଇଯାଇଥିଲା ।
ଗୌରବମୟ ହେଉ କି ନହେଉ, ଅତୀତକୁ ପଛରେ ପକାଇ, ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ଥୋକ ହିସାବରେ ଘରୋଇ ଔଷଧ ଏବଂ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ଓ ରପ୍ତାନୀ ନିମନ୍ତେ 13,760 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଚୀନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ରଣନୈତିକ ଉପାୟ ସହିତ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ପଦକ୍ଷେପ ହିଁ ଭାରତ ପକ୍ଷରେ ସର୍ବାଧିକ ସମୁଚିତ କାର୍ଯ୍ୟପନ୍ଥା ହେବ ।