ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ଅଟକ ମାମଲାରେ ଜମ୍ମୁ କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାକୁ ବିରୋଧ କରି ଆଗତ ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା । ଶୁଣାଣି ସମୟରେ ଜମ୍ମୁ କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଓମାର ଅବ୍ଦୁଲ୍ଲାଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନ ସମ୍ପର୍କରେ ପ୍ରଶାସନକୁ ମାର୍ଚ୍ଚ 2 ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣଇ ମାର୍ଚ୍ଚ 2 ତାରିଖରେ ହେବ।
ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି। ଗତ ଛଅ ମାସ ଧରି ତାଙ୍କୁ ଅଟକ ରଖିବା ପରେ ଏବେ ତାଙ୍କ ବିରୋଧରେ ‘ପବ୍ଲିକ୍ ସେଫ୍ଟି ଆକ୍ଟ୍’ଲଗାଇ ତାଙ୍କର ଅଟକର ସମୟସୀମା ବୃଦ୍ଧି କରିଛନ୍ତି ସରକାର। ଯାହାକୁ ବିରୋଧ କରି ଓମାର ଅବ୍ଦୁଲ୍ଲାଙ୍କ ଭଉଣୀ ସାରା ପାଇଲଟ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଏହି ଯାଚିକାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା ।