ନୂଆଦିଲ୍ଲୀ: ଘୁଞ୍ଚିଲା ଶାହିନବାଗ ଶୁଣାଣି । ଶୁଣାଣି ପାଇଁ ପରିସ୍ଥିତି ଠିକ୍ ନଥିବାରୁ ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 23ରେ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଜି ଏହାର ଶୁଣାଣି ସମୟରେ ରାସ୍ତା ଅନିର୍ଦ୍ଦିଷ୍ଟକାଳ ବିରୋଧ ପ୍ରଦର୍ଶନ ପାଇଁ ନୁହେଁ ବୋଲି କହିବା ସହ ଆଗାମୀ 23 ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।
ଦିଲ୍ଲୀର ଶାହିନବାଗ ଅଞ୍ଚଳରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାର ଆବେଦନ ଉପରେ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ସୋମବାର ନିଜ ରିପୋର୍ଟ ସିଲବନ୍ଦ ଲଫାପାରେ ଦାଖଲ କରିଥିଲେ ।
ମଧ୍ୟସ୍ଥି ଭାବରେ ନିଯୁକ୍ତ ହୋଇଥିବା ଓକିଲ ସାଧନା ରାମଚନ୍ଦ୍ରନ, ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେଙ୍କ ସହ ଶାହିନବାଗ ଯାଇ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନିଜ ରିପୋର୍ଟ ଜଷ୍ଟିସ ଏସ.କେ ପାଲ ଏବଂ ଜଷ୍ଟିସ କେ.ଏମ ଜୋଶେଫଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ ।
ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଗତ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ ଦିଲ୍ଲୀ-ନୋଏଡା ରାସ୍ତା ବନ୍ଦ ରହିଛି । ତେବେ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ଏବଂ ରାସ୍ତା ଖାଲି କରିବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଖଲ ହୋଇଥିଲା । ତେବେ ଏହାର ଶୁଣାଣି କରି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ