ଭାରତ କେବଳ ୮ ପ୍ରତିଶତ ପାଣି ଭଣ୍ଡାର କରିବା ସହିତ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ବିଶ୍ୱ ସୂଚକାଙ୍କରେ ସବୁଠାରୁ ତଳେ ରହିଛି । ଅପରପକ୍ଷରେ ଭୂଜଳର ବ୍ୟବହାର ପ୍ରାକୃତିକ ଭାବରେ ବିନା କୌଣସି ପୂର୍ବ ସୂଚନାରେ କରାଯାଉଛି । ଯାହାଫଳରେ ଭାରତର ଭୂଜଳ ଭଣ୍ଡାର କ୍ଷମତା ଶୂନ୍ୟ ହେବାରେ ଲାଗିଛି । ପ୍ରାୟ ୬ ସପ୍ତାହ ତଳେ କେନ୍ଦ୍ର ସରକାର ଜଳ ଶକ୍ତି ଅଭିଯାନ ଯୋଜନା ଅନୁସାରେ ପାଣିର ପ୍ରାକୃତିକ ଭଣ୍ଡାରକୁ ବଞ୍ଚାଇବା ପାଇଁ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ସରକାରଙ୍କ ସମର୍ଥନରେ ଦେଶର ବିଭିନ୍ନ ରାଜ୍ୟର ୨୫୬ ଜିଲ୍ଲା ଓ ୧୫୯୨ଟି ବ୍ଲକରେ ପ୍ରସ୍ତୁତ କରାଯାଇଛି । ସରକାର ଏହି ସମୟରେ ସମସ୍ତ ସମ୍ୱନ୍ଧୀତ କ୍ଷେତ୍ରରେ ସୁରକ୍ଷିତ ପାନୀୟଜଳର ସଂରକ୍ଷଣ ତଥା ଉପଲବ୍ଧ କରାଇବା ପାଇଁ ଘୋଷଣା କରିଛନ୍ତି । ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସାତଟି ରାଜ୍ୟରେ ନୂତନ ‘ଅଟଳ ଭୂଜଳ ଯୋଜନା’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଜଳ ଶକ୍ତି ଅଭିଯାନ ଅନୁସାରେ ସ୍ଥାନୀୟ ସଂଗଠନଙ୍କ ପାଇଁ ନୀତି ନିର୍ଦ୍ଦେଶ ପ୍ରସ୍ତୁତ କରିଛନ୍ତି ।
ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ରାଜ୍ୟରେ ୭୮ଟି ଜିଲ୍ଲାର ୮,୩୦୦ ଲୋକ ଏହି ଯୋଜନାରୁ ଲାଭବାନ ହେବାକୁ ଯାଉଛନ୍ତି । ଏହି ଯୋଜନାରେ 5 ବର୍ଷ ମଧ୍ୟରେ ଉପରୋକ୍ତ ଜିଲ୍ଲାର ଭୂମିଗତ ଜଳ ସୁଧାର ଯୋଜନା ଉଦ୍ଦେଶ୍ୟରେ ୬୦୦୦କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏହି ବଜେଟର ଅଧା ଅର୍ଥ ବିଶ୍ୱବ୍ୟାଙ୍କରୁ ନିଆଯାଇଥିବା ଋଣରୁ ଦିଆଯିବାକୁ ଥିବାବେଳେ ବାକି ଅଧା ଅର୍ଥ କେନ୍ଦ୍ର ସହାୟତା ବାବଦରେ ରାଜ୍ୟମାନଙ୍କୁ ଦିଆଯିବ।
ଜଳ ସଂରକ୍ଷଣ ପାଇଁ ଯେଉଁ ରାଜ୍ୟମାନେ ଆଗ୍ରହ ପ୍ରକାଶ କରିବା ସହିତ ପ୍ରସ୍ତୁତି ଆରମ୍ଭ କରିଥିଲେ ସେହି ରାଜ୍ୟମାନଙ୍କୁ ‘ଅଟଳ ଭୂଜଳ ଯୋଜନା’ ଯୋଜନାରେ ସାମିଲ କରାଯାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଦାବିକୁ ପଞ୍ଜାବର ରାଜ୍ୟ ସରକାର ଭୂଲ ବୋଲି କହିଛନ୍ତି । ପଞ୍ଜାବ ସରକାରଙ୍କ ମତରେ ‘ଅଟଳ ଭୂଜଳ ଯୋଜନା’ ଯୋଜନା ପାଇଁ ଠିକଣା ଢଙ୍ଗରେ ତଥ୍ୟ ସଂଗ୍ରହ କରାଯାଇନଥିବାବେଳେ ଏହାର ପ୍ରକ୍ରିୟା ଭ୍ରମାତ୍ମକ ରହିଛି । ପଞ୍ଜାବର ପଠାନକୋଟ ଓ ମୁକ୍ତସର ଜିଲ୍ଲାକୁ ଛାଡି ରାଜ୍ୟର ବାକି ୨୦ଟି ଜିଲ୍ଲାରେ ଭୂଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ଏପରିସ୍ଥଳେ ପଞ୍ଜାବକୁ କାହିଁକି ‘ଅଟଳ ଭୂଜଳ ଯୋଜନା’ ରେ ସାମିଲ କରାଯାଇନାହିଁ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଶ୍ନ କରିଛନ୍ତି । ଏହି ଯୋଜନାରେ ଯଦି ଅଧିକ ଅଞ୍ଚଳକୁ ସାମିଲ କରାଯାଇ ସେହି ଅନୁପାତରେ ଯେ ପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରାନଯିବ ସେପର୍ଯ୍ୟନ୍ତ ଯୋଜନାକୁ ଲାଗୁ କରାଯାଇ ପାରିବ ନାହିଁ।
ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ ପ୍ରତ୍ୟେକ ଗ୍ରାମ କେବଳ ନିଜର ପ୍ରାକୃତିକ ଓ ଭୂଜଳ ଭଣ୍ଡାର ରକ୍ଷା କରିବାକୁ ପ୍ରୟାସ କରିବା ସହିତ ଚାଷ କାମରେ କମ ପାଣି ଆବଶ୍ୟକ କରୁଥିବା ଫସଲ କରିବା ଉଚିତ। ଚାଷ କାମରେ ଜଳସମ୍ପଦର ଉପଯୋଗକୁ କମ୍ କରିବା ପାଇଁ ପ୍ରୟାସ କରିବା ଉଚିତ। ବର୍ତ୍ତମାନର ପରିପ୍ରେକ୍ଷୀରେ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି । ଭାରତର ‘ଜଳ ପୁରୁଷ’ ଭାବେ ପରିଚିତ ରାଜେନ୍ଦ୍ର ସିଂହଙ୍କ ଅନୁମାନ ଅନୁସାରେ ବର୍ତ୍ତମାନ ଦେଶର ୭୨ ପ୍ରତିଶତ ଭୂଜଳ ଭଣ୍ଡାର ଶେଷ ହୋଇଗଲାଣି । ଏସମ୍ପର୍କରେ 4 ବର୍ଷ ତଳେ ‘ନାସା’ ଆକଳନରୁ ଅବଗତ ହୋଇଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ ବଡ ଜଳାଶୟ ‘ମିଡ ଲେକ’ ର ଜଳଧାରଣ କ୍ଷମତାର ଦୁଇଗୁଣରୁ ଅଧିକ ମାତ୍ରାରେ ଭୂଜଳ ଭାରତ ହରାଇ ସାରିଛି । ଭୂଜଳର ଅପବ୍ୟବହାର ଏକ ଆଇଓଟିରେ ହ୍ରାସ ପାଇନାହିଁ । ଦେଶ ସ୍ୱାଧିନତା ପରେ ପ୍ରତି ବ୍ୟକ୍ତି ପିଛା ୬,୦୪୨ କ୍ୟୁବିକ ମିଟର ଭୂଜଳ ଥିଲା । ବର୍ତ୍ତମାନ ଏହି ପରିମାଣ ଚାରି ଭାଗରୁ କମ ରହିଛି । ଆଗାମୀ ଦିନରେ ଏହି ଜଳ ପରିମାଣ ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି ।
ଏହି ସମସ୍ୟ କେଉଁଠାରୁ ଆରମ୍ଭ ହୋଇଛି ଓ କେତେ ଦିନ ଧରି ଚାଲିବ କେହି କହିପାରୁନାହାନ୍ତି । ଏପରିକି ଏହି ସମସ୍ୟାର ସମାଧାନ ଉପରେ କେହି ଧ୍ୟାନ ଦେଉନାହାନ୍ତି । ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଣାଳୀ ଅନେକ ବର୍ଷ ତଳୁ ଆରମ୍ଭ କରାଯାଇଛି । ଅଦ୍ୟାବଧି ଏଥିରୁ କୌଣସି ସଫଳତା ମିଳିନାହିଁ । ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ ବି କ୍ଷତିକୁ ଭରଣା କରିବା ଓ ବ୍ୟବହୃତ ପାଣିକୁ ପୁନଃ ବ୍ୟବହାର ଉପଯୋଗୀ କରିବା କାମ ପର୍ଯ୍ୟାପ୍ତ ଭାବରେ କରାଯାଇନାହିଁ । ପ୍ରାକୃତିକ ସମ୍ପଦର ସଂରକ୍ଷଣ କରାନଗଲେ ଆଗାମୀ ଦିନରେ କେହି ସାହାଯ୍ୟ କରିବେ ନାହିଁ ।
ଫଳରେ ବର୍ତ୍ତମାନ ଭୂଜଳ ଉପରେ ନିର୍ଭରଶୀଳତା ଅଧିକରୁ ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶର ୧୬୦ଟି ଜିଲ୍ଲାର ଜଳ ଭଣ୍ଡାର ଲୁଣିଆ ହୋଇଗଲାଣି । ୨୩୦ଟି ଜିଲ୍ଲାରେ ଭୂଜଳ ଫ୍ଲୋରାଇଡରେ ପ୍ରଭାବିତ ହୋଇସାରିଛି । ଏଭଳି ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରକାଶ ପାଇବା ପରେ ବି ରାଜ୍ୟ ସ୍ତରରେ ବିଭିନ୍ନ ଯୋଜନା ନାମରେ ଜଳ ସଂରକ୍ଷଣ ସଚେତନତା କରାଯାଉଛି । ତେଲେଙ୍ଗାନାରେ ‘ମିଶନ କାକତିୟ’, ଆନ୍ଧ୍ରପ୍ରଦେଶରେ ‘ନିରୁ-ଚେତୁ’, ରାଜସ୍ଥାନରେ ‘ମୁଖ୍ୟମନ୍ତ୍ରୀ ଜଳ ସ୍ୱାଭିମାନ ଅଭିଯାନ’, ଗୁଜରାଟରେ ‘ସୁଜଳାମ ସୁଫଳାମ ଯୋଜନା’ ଜଳ ସଚେତନ ପାଇଁ କରାଯାଉଥିଲେ ହେଁ ରାଷ୍ଟ୍ରୀୟ ସ୍ତରରେ ଏକ ସମନ୍ୱିତ ପ୍ରୟାସର ଅଭାବ ପରିଲକ୍ଷିତ ହେଉଛି । ଏଥିପାଇଁ କେବଳ ସମାନ ଭାଗିଦାରୀରେ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ରର ଭୂଜଳ ଭଣ୍ଡାର ବଞ୍ଚାଇବାର ମିଳିତ ଉଦ୍ୟମ କଲେ ଏହା ଏକ ନୂଆ ଓ ଅଭିନବ ମାର୍ଗ ବୋଲି ପ୍ରମାଣିତ ହୋଇପାରିବ।
ସମଗ୍ର ଦେଶରେ ନାଗରିକମାନଙ୍କୁ ଉଚ୍ଚମାନର ଜଳ ଭଣ୍ଡାର ଓ ଯୋଗାଣ ସହଜ କଥା ନୁହେଁ । ଜଳ ଜୀବନ ମିଶନର ଆକଳନ ଅନୁସାରେ ଜଳସେଚନ ପାଇଁ ଆବଶ୍ୟକ ହେଉଥିିବା ପାଣି ଓ ଯୋଗାଣ ମଧ୍ୟରେ ୪୩ ପ୍ରତିଶତ ଅନ୍ତର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଲାଣି । ଦେଶର ୫କୋଟି ୧୪ଲକ୍ଷ ଗ୍ରାମାଞ୍ଚଳର ପରିବାରକୁ ପାଣି ଯୋଗାଇବା ଖର୍ଚ୍ଚ ୩, ୬୦, ୦୦୦କୋଟିରେ ପହଞ୍ଚିଥିବା ଅନୁମାନ କରାଯାଉଛି । ବର୍ତ୍ତମାନର ପରିସ୍ଥିତିକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ଖର୍ଚ୍ଚ କରନ୍ତି ତଥାପି ମଧ୍ୟ ଏହି ସମସ୍ୟାର ସମାଧାନ ଏତେ ସହଜ ନୁହେଁ । ସାଢେ ୩ବର୍ଷ ପୂର୍ବରୁ ମିହିର ଶାହ କମିଟିର ପରାମର୍ଶ ଅନୁସାରେ ସମସାମୟିକ ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ରୀୟ ଜଳ ୟୁନିଟ ଓ କେନ୍ଦ୍ରୀୟ ଭୂଜଳ ପ୍ରଣାଳୀକୁ ପୁନର୍ଗଠିତ କରାଯିବା ଆବଶ୍ୟକ। ଯେଉଁ ଅଞ୍ଚଳରେ ଭୂଜଳ ହ୍ରାସ ପାଇବାରେ ଲାଗିଛି ସେଠାରେ ସମବାୟ ଭିତ୍ତିରେ ଚାଷ କରିବା ପାଇଁ ଜଳ ବଜେଟ ପ୍ରସ୍ତୁତ କରିବାରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସେହି ଅଞ୍ଚଳର ଚାଷୀମାନଙ୍କୁ ନିବେଦନ କରିଛନ୍ତି । ଫସଲ ଉତ୍ପାଦନ ପାଇଁ ସେହି ଅଞ୍ଚଳର କୃଷକମାନଙ୍କୁ ସରକାର ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ସହିତ ମାର୍ଗଦର୍ଶନ କରିବା କରିବା ଉଚିତ।
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବ୍ରିଟେନରେ ଭୂଜଳ ଭଣ୍ଡାରରୁ ଅଧିକ ଜଳ ହ୍ରାସକୁ ରୋକିବା ଓ ଏହାକୁ ଆଗାମୀ ଦିନ ପାଇଁ ବଞ୍ଚାଇ ରଖିବାକୁ ସକ୍ରିୟ ପଦକ୍ଷେପ ଉଠାଇଛନ୍ତି । ଦେଶର କୌଣସି ଜଳ ଭଣ୍ଡାର ଯେପରି ଦୂଷିତ ନହେବ ସେଥିପାଇଁ ଚୀନର ୧୨ ମିଲିୟନ ଜଳ ସଂରକ୍ଷଣକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଜଳ ସଂରକ୍ଷଣକର୍ତ୍ତା ଜଳର ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ବାଧ୍ୟ । କେତେକ ଦେଶର ସରକାର ରାଜମାର୍ଗ ଓ ସଡକ ନିର୍ମାଣରେ ବିଭିନ୍ନ ପ୍ରକାରର ନୂଆ ପ୍ରଣାଳୀ ବ୍ୟବହାର କରୁଛନ୍ତି । ଯାହାଫଳରେ ବର୍ଷା ଜଳ ନଷ୍ଟ ନ ହେବା ସହିତ ଠିକଣା ଭାବରେ ସଂରକ୍ଷିତ ହୋଇପାରିବ ।
ଯଦି ରାଷ୍ଟ୍ରୀୟ ସଂସ୍କୃତି ସ୍ଥାପନ କରାଯିବ ତେବେ ପାଣିର ପ୍ରତ୍ୟେକ ବୁନ୍ଦାରୁ ଅତ୍ୟଧିକ ଲାଭ ମିଳିବା ସହିତ ଫସଲ ଉତ୍ପାଦନ ବୃଦ୍ଧି ହେବ। କୁହାଯାଏ ବୁନ୍ଦାଏ ବୁନ୍ଦାଏ ପାଣିରେ ମହାସାଗର ହୋଇଥାଏ । ଯଦି ଆମେ ଜଳ ସଂରକ୍ଷଣ କରିବା ଆଗାମୀ ଦିନରେ ଆଶଙ୍କା କରାଯାଉଥିବା ବାର୍ଷିକ ଜଳ ସଂକଟ ଦୂର ହୋଇପାରିବ । ପୌରପାଳିକାମାନେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୂଜଳ ଉେତ୍ତାଳନ କରାଯାଇ ତାହାକୁ କିପରି ଭରଣା କରାଯିବ ସେଦିଗରେ ପଦକ୍ଷେପ ନେବାକୁ ୩ମାସ ତଳେ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମାକୁ ଠିକରେ ପାଳନ କରାଯାଏ ତେବେ ‘ଅଟଳ ଭୂଜଳ ଯୋଜନା’ର ଆବଶ୍ୟକତା ପଡିବ ନାହିଁ।