ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଏବଂ ଉତ୍ତର ଭାରତରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ ନଥିବା ବୟାନ ଦେଇ ଅଡୁଆରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ନିଜ ବୟାନକୁ ନେଇ ବିବାଦରେ ଫସିଥିବା ଶ୍ରମମନ୍ତ୍ରୀ ନିଜ ସଫେଇ ଦେଇଛନ୍ତି ।
ସେ କହିଛନ୍ତି, ମୁଁ କହିଥିବା କଥାର ଭିନ୍ନ ଅର୍ଥ ବାହାର କରାଯାଉଛି । ଦେଶରେ ନିଯୁକ୍ତିର ଅଭାବ ନାହିଁ । ହେଲେ ଉତ୍ତରଭାରତକୁ ଆସୁଥିବା କମ୍ପାନୀକୁ ଆବଶ୍ୟକ ଥିବା ଯୋଗ୍ୟତା ପ୍ରାର୍ଥୀଙ୍କ ପାଖରେ ନାହିଁ । ଏଥିପାଇଁ ସ୍କିଲ ମନ୍ତ୍ରାଳୟ ଆରମ୍ଭ କରାଯାଇଛି । ଯେଉଁଥିରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇପାରିବ ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ବିଏସପି ସୁପ୍ରିମୋ ମାୟାବତୀ ରବିବାର କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ବିଟ କରିଥିଲେ, 5 ବର୍ଷ ଧରି ଆପଣଙ୍କ ସରକାର ରହିଛି । ହେଲେ ଆପଣ ନିଯୁକ୍ତି ସୃଷ୍ଟି କରିପାରିଲେନାହିଁ । ଆଉ ଯେଉଁସବୁ ନିଯୁକ୍ତି ଥିଲା ସେସବୁ ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ପାଇଁ ଏବେ ଲୋପ ହେବାକୁ ବସିଲାଣି । ଯୁବପିଢି ସରକାର କିଛି ଭଲ କରିବାର ଆଶା ରଖିଛନ୍ତି, ହେଲେ କିଛି ନୂଆ କରିବା ବଦଳରେ ଆପଣ ଉତ୍ତର ଭାରତୀୟଙ୍କ ଅପମାନ କରୁଛନ୍ତି । ଯାହା ଚଳିବ ନାହିଁ ।
ସେହିପରି ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ କହିଥିଲେ ଯେ, ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ଏବଂ ବେରୋଜଗାରୀକୁ ଦୂର କରିବା ବଦଳରେ ଉତ୍ତର ଭାରତୀୟଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଏକ ଲଜ୍ଜାଜନକ ଘଟଣା । ଗଙ୍ଗୱାରଙ୍କ ଏହି ବୟାନ ପାଇଁ ତାଙ୍କୁ କ୍ଷମା ମାଗିବାକୁ ଆବଶ୍ୟକ ରହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଦେଶର ରୋଜଗାର ସ୍ଥିତି ନେଇ ରବିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେହି ସମୟରେ ନିଯୁକ୍ତି ଓ ଉତ୍ତର ଭାରତୀୟଙ୍କ ଯୋଗ୍ୟତାକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ସେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ ।