ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ପଦରୁ ବହିଷ୍କୃତ ହେବା ପରେ ଏବେ ଦଳରୁ ନିଲମ୍ବିତ ହୋଇଛନ୍ତି ସଞ୍ଜୟ ଝା । ଦଳ ବିରୋଧୀ ଗତିବିଧି ଯୋଗୁଁ ସଞ୍ଜୟଙ୍କୁ ନିଲମ୍ବନ କରାଯାଇଥିବା କଂଗ୍ରେସ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି ।
ସଞ୍ଜୟ ଝାଙ୍କ ନିଲମ୍ବନ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ବାଲାସାହେବ ଥୋରାଟ । ଏହା ପୂର୍ବରୁ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିବାରୁ କଂଗ୍ରେସର ଜାତୀୟ ମୁଖପାତ୍ର ପଦରୁ ବହିଷ୍କୃତ ହୋଇଥିଲେ ସଞ୍ଜୟ । ଝା କିଛି ଦିନ ପୂର୍ବରୁ ନିଜର ଏକ ଲେଖା ମାଧ୍ୟମରେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିଲେ । କଂଗ୍ରେସ ଦଳରେ ଲୋକତନ୍ତ୍ରର ଅଭାବ ରହିଥିବା ସେ କହିଥିଲେ ।
ମଙ୍ଗଳବାର ସଞ୍ଜୟ ଝା ଟ୍ବିଟ କରି ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିଦେବାକୁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ତିନି ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଅଶୋକ ଗେହଲଟଙ୍କୁ ଏବେ ଦଳର ବଡ ପଦବୀରେ ରଖିବା ସହ କଂଗ୍ରେସ କମଜୋର ଥିବା ରାଜ୍ୟର ଦାୟିତ୍ବ ତାଙ୍କୁ ଦେବା ଦରକାର । ଏହାସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତିର ମଧ୍ୟ ସେ ପରାମର୍ଶ ଦେଇଥିଲେ ।