ଓସାକା: ଜି-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବେ ଚର୍ଚ୍ଚା କରିଥିଲେ ଉଭୟେ । ବାଣିଜ୍ୟ, ଇରାନ ସହ ତିକ୍ତତା, 5ଜି ଟେକ୍ନୋଲୋଜି, ପ୍ରତିରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଏସ-400 ମିସାଇଲ ପ୍ରସଙ୍ଗ ସ୍ଥାନ ପାଇନାହିଁ।
ଶୁକ୍ରବାର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଦ୍ୱିପାକ୍ଷିକ ଆଲୋଚନା । ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ସମସ୍ୟା ଉପରେ ବିଚାର ବିମର୍ଶ କରାଯାଇଥିଲା । କିନ୍ତୁ ଭାରତ ରୁଷ ଠାରୁ କ୍ରୟ କରିବାକୁ ଯାଉଥିବା ପ୍ରତିରକ୍ଷା ମିସାଇଲ ଏସ-400 ଉପରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ।
ରୁଷ ଠାରୁ 40 ହଜାର ଡଲାର କୋଟି ଟଙ୍କା ବ୍ୟୟ ବରାଦରେ ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମ କ୍ରୟ କରିବା ନେଇ ପୂର୍ବରୁ ରାଜିନାମା ଚୁକ୍ତି ସ୍ବାକ୍ଷର କରାଯାଇଛି। ରୁଷ ଏବଂ ଭାରତ ମଧ୍ୟରେ ଅନ୍ତରୀକ୍ଷ ସହଯୋଗକୁ ଆମେରିକା ସହଜରେ ଗ୍ରହଣ କରିପାରିନଥିଲା । ଯାହାକୁ ନେଇ ଭାରତକୁ ଆଗରୁ ଚେତାବନୀ ମଧ୍ୟ ଦେଇଥିଲା ଆମେରିକା ।
ଏହି ଦ୍ବିପାକ୍ଷିକ ଆଲୋଚନାରେ କେତେକ ସମସ୍ୟା ଉଠାଇ ସହଯୋଗ ମାଗିଛି ଭାରତ। ଯାହାକୁ ରାଷ୍ଟ୍ରପତି ଟ୍ରମ୍ପ ସ୍ବାଗତ ଯୋଗ୍ୟ ଜଣାଇଛନ୍ତି ବୋଲି 14ତମ ଜି-20 ସମ୍ମିଳନୀର ସାମ୍ବାଦିକ ସମ୍ମିଳନୀରେ ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ।
ତେବେ ଆଗକୁ ଏହି ଦୁଇ ଦେଶ ବାଣିଜ୍ୟ କ୍ଷେତ୍ରରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ମିଳିତ ଭାବେ ଦୂର କରିବେ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏ ଦିଗରେ କାର୍ଯ୍ୟକାରୀ କରିବେ।