ନୂଆଦିଲ୍ଲୀ: ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ କ୍ରୟକୁ ନେଇ ଭାରତ ପାଇଁ ବଡ ଖବର । ଭାରତ ଓ ଋଷ ମଧ୍ୟରେ ପାଞ୍ଚଟି ଏସ-୪୦୦ ମିସାଇଲ କିଣିବା ଉପରେ ହୋଇଥିବା ବୁଝାମଣା ସଠିକ ଦିଗରେ ଅଗ୍ରଗତି କରୁଛି । ଭାରତକୁ ପାଞ୍ଚ ଏସ-୪୦୦ ମିସାଇଲ ସଠିକ ସମୟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିପାଇଁ ଭାରତ ଋଷକୁ 85 କୋଟି ଡଲାର ପ୍ରଦାନ କରିଛି । ବ୍ରିକ୍ସରେ ପୁଟିନ ସାମ୍ବାଦିକଙ୍କୁ ଏନେଇ ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ପୁଟିନ ବ୍ରକ୍ସରେ ଭାଗ ନେବା ପାଇଁ ବ୍ରାଜିଲ ଗସ୍ତରେ ଅଛନ୍ତି । ଏହି ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏସ୍-400 ନେଇ ଆଲୋଚନା ହୋଇଥିଲା । ଏହାପରେ ଗୁରୁବାର ସାମ୍ବାଦିକଙ୍କୁ ସୂଚନା ଦେଇ ଭ୍ଲାଦିମିର ପୁଟିନ ଡିଲ୍ ମୁତାବକ ସଠିକ୍ ସମୟରେ ଭାରତକୁ ଏହି ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇଦିଆଯିବ ବୋଲି କହିଥିଲେ ।
ଏହି ଡିଲ୍ ପାଇଁ ଭାରତକୁ ମୋଟ 5 ଆରବ ଡଲାର ଦେବାକୁ ପଡିବ । ଏଥିପାଇଁ ଭାରତ ସେପ୍ଟେମ୍ବରରେ ଋଷକୁ ଡିଲର 15 ପ୍ରତିଶତ ଅର୍ଥ ରାଶି ପ୍ରଦାନ କରିସାରିଛି । ଭାରତର ଏହି ଡିଲ୍ ଉପରେ ଆମେରିକାର କଡା ନଜର ରହିଛି । ଏହି ଏସ୍-400କୁ ନେଇ ପୂର୍ବରୁ ଆମେରିକା ଓ ଭାରତ ମଧ୍ୟରେ ଅନେକ ବୟାନ ବାଜି ହୋଇଥିଲା । ମାତ୍ର ଏସ-400ର ଗୁରୁତ୍ବ ଭାରତ ପାଇଁ ସର୍ବାଧିକ ଏହାକୁ ଆଖିଆଗରେ ରଖି ଭାରତ ଏହି ଡିଲ୍ ଦିଗରେ ରଷ ସହ ଆଗକୁ ବଢିଥିଲା ।
ଏହି ଡିଲ୍ ଅନୁସାରେ ଏହି ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ୨୦୨୫ ସୁଦ୍ଧା ଭାରତ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି । ମାତ୍ର ଏବେ ନୂଆ ପେମେଣ୍ଟ ପରେ ଏହା ଭାରତକୁ ଆସନ୍ତା ୧୬ରୁ ୧୮ ମାସ ମଧ୍ୟରେ ମିଳିଯିବ । ଋଷର କିଛି ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୨୦ ସୁଦ୍ଧା ପ୍ରଥମ ସିଷ୍ଟମ ଭାରତକୁ ମିଳିଯିବ । ଏହାପରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହାର ଡିଲିଭରୀ ସମ୍ପୂର୍ଣ୍ଣ କରାଯିବ ।