ମସ୍କୋ: ଋଷ ମାସକୁ ୧.୫ ନିୟୁତରୁ ୨ ନିୟୁତ ସଂଖ୍ୟାରେ କୋଭିଡ୍-୧୯ ଟିକା ଉତ୍ପାଦନ କରିବ ବୋଲି ଶିଳ୍ପମନ୍ତ୍ରୀ ଦେନିସ୍ ମାନ୍ତୁରୋଭ ରବିବାର ଦିନ କହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କ୍ରମଶଃ ପରିମାଣ ବୃଦ୍ଧି କରାଯାଇ ପ୍ରତି ମାସରେ ୬ ନିୟୁତ ଡୋଜ୍ ଟିକା ଉତ୍ପାଦନ କରାଯିବ ବୋଲି ‘ଆର୍ଆଇଏ’ କହିଛି। ଋଷ ବିକଶିତ କରିଥିବା ବିଶ୍ବର ପ୍ରଥମ କୋରୋନା ଭାଇରସ୍ ବିରୋଧୀ ଟିକା ‘ସ୍ପୁଟ୍ନିକ୍-ଭି’ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଥିବା କଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଥିଲେ। ମସ୍କୋର ଗାମାଲେୟା ପ୍ରତିଷ୍ଠାନ ଦ୍ବାରା ବିକଶିତ ଏହି ଟିକା ବ୍ୟାପକ ପରୀକ୍ଷା ଋଷରେ ଆସନ୍ତା ସପ୍ତାହରେ ଆରମ୍ଭ ହେବ।
ସ୍ପୁଟନିକ-ଭି, RDIF ସହିତ ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ ହୋଇଛି । ତେବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କିମ୍ବା ବୃହତ କ୍ଲିନିକାଲ ପରୀକ୍ଷା ବ୍ୟାପକ କରାଯାଇନାହିଁ। ‘ସ୍ପୁଟନିକ-ଭି’ ଟିକାର ଦୁଇଟି ‘ସଟ୍’ ରହିଛି। ଏଥିରେ ସାଧାରଣ ଥଣ୍ଡା କରାଉଥିବା କେତେକ ‘ଆଡେନୋଭାଇରସ୍’ ପ୍ରଜାତି ଭୂତାଣୁ ବ୍ୟବହାର କରାଯାଇଛି। କୋଭିଡ୍-୧୯ର କାରଣ ହେଉଥିବା ‘SARS-CoV-2’ର ଉପରିଭାଗରେ ଥିବା ପୁଷ୍ଟିସାରର ଜିନ୍ ବହନ କରିବାକୁ ନିର୍ମାତାମାନେ ସେହି ‘ଆଡେନୋଭାଇରସ୍’ର ଜେନମ୍କୁ ପରିବର୍ତ୍ତନ କରିଛନ୍ତି।
ପୁଟିନ୍ଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି କିଛି ସପ୍ତାହ ତଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା, ଋଷ ଟିକା ବ୍ୟବହାର ନିମନ୍ତେ ସୁପାରିସ କରିବା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାହାର ବିଷଦ୍ ସମୀକ୍ଷା ଏବଂ ମୂଲ୍ୟାୟନ କରିବ।