ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଗଣେଶ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହେଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ରମୁଖ ମୋହନ ଭାଗବତ । AIMIM ମୁଖ୍ୟ ଓୱେସି ଗଡ ହାଇଦ୍ରାବାଦରେ ପ୍ରଥମଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଭାଗବତ ।
ଆରଏସଏସ ପ୍ରମୁଖ ଭାଗବତ ଚାରମୀନାର ପାଖରେ ଥିବା ଏମଜେ ମାର୍କେଟରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଭଗବାନ ଗଣେଶ ଅଗ୍ର ପୂଜ୍ୟ ହୋଇଥିବା ବେଳେ ସେ ସମସ୍ତଙ୍କ ଭୁଲକୁ ନିଜ ପେଟରେ ଲୁଚାଇ ଦିଅନ୍ତି ବୋଲି ଭାଗବତ କହିଛନ୍ତି ।
ଦେଶରେ କିଛି ଜଣ ହତିଆର ବଳରେ ଶାସନ କରିବାକୁ ଚାହୁଁଥିବା ବେଳେ କିଛି ନିଜ ବୁଦ୍ଧି ବଳରେ ଶାସନ କରୁଛନ୍ତି ବୋଲି ଭାଗବତ କହିଛନ୍ତି । ଭାଗବତ କହିଛନ୍ତି ଯେ, ବୁଦ୍ଧି ହେଉଛି ପ୍ରତ୍ୟେକଙ୍କ ବଳ । ଗରିବଙ୍କ ଉନ୍ନତି ସହ ଏକ ଉତ୍ତମ ସମାଜ ଗଠନ ପାଇଁ ଏହି ବୁଦ୍ଧି ଉପଯୋଗ ହେବା ଦରକାର ବୋଲି ସଙ୍ଘ ପ୍ରମୁଖ ନିଜ ଭାଷଣରେ କହିଛନ୍ତି ।