ପାଟଣା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ଼ ଝଟକା । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ ଶେଷରେ ଲାଲୁ ଯାଦବଙ୍କ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରକୁ ସେ ସଭାପତି ଲାଲୁ ଯାଦବଙ୍କୁ ପଠାଇଛନ୍ତି । ସେ ସେଥିରେ ଲେଖିଛନ୍ତି ଯେ, ‘32 ବର୍ଷ ଆପଣଙ୍କ ପଛରେ ଛିଡା ହେଲି, କିନ୍ତୁ ବର୍ତ୍ତମାନ ନୁହେଁ । ଦଳର ନେତା, କର୍ମୀ ଏବଂ ସାଧାରଣ ଜନତା ମୋତେ ବହୁତ ଭଲ ପାଇବା ଦେଇଛନ୍ତି, ମାତ୍ର ଏବେ ମୋତେ କ୍ଷମା କରିବେ’ ।
ଆଗାମୀ ଦିନରେ ଡାକ୍ତରଖାନାରୁ ଡିସଚାର୍ଜ ହେବାପରେ ରଘୁବଂଶ ବାବୁ ନୀତୀଶ କୁମାରଙ୍କ ଜେଡିୟୁରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଆରଜେଡିରେ ରମା ସିଂହଙ୍କ ଏଣ୍ଟ୍ରି ଯୋଗୁଁ ଦଳ ଉପରେ ରାଗି ଥିଲେ ରଘୁବଂଶ। 74 ବର୍ଷିୟ ରଘୁବଂଶ ବାବୁ ଦଳରେ ଉପ-ସଭାପତି ପଦରେ ଥିଲେ ଏବଂ ସେ ଲାଲୁଙ୍କର ସବୁଠାରୁ ବିଶ୍ୱସ୍ତ ନେତା ଭାବରେ ବିବେଚନା କରାଯାଉଥିଲା । ରଘୁବଂଶ ପୂର୍ବରୁ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ସମ୍ଭାଳି ସାରିଛନ୍ତି ।
ଏହି ଚିଠିକୁ ପଢିବା ଦ୍ବାରା ଦୁଇଟି କଥା ସ୍ପଷ୍ଟ ହେଉଛି ଯେ, ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଉଥିବା ଜଗଦାନନ୍ଦ ସିଂଙ୍କ କାର୍ଯ୍ୟ ଶୈଳୀରେ ଖୁସି ନଥିଲେ। ଦ୍ୱିତୀୟତଃ, ତେଜସ୍ୱୀ ଯାଦବଙ୍କ ରାଜ୍ୟ ରାଜନୀତିରେ ଅନୁପସ୍ଥିତିକୁ ନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଇସ୍ତଫାକୁ ସ୍ବୀକାର କରି ନାହାଁନ୍ତି ଲାଲୁ ପ୍ରସାଦ ଯାଦବ। ରଘୁବଂଶ ଜୁନରେ କୋରୋନାରେ ସଂକ୍ରମିତ ହୋଇଥିଲେ। ସଂକ୍ରମଣ ପରେ ତାଙ୍କର ଚିକିତ୍ସା ପାଟଣା ଏମ୍ସରେ ଚାଲିଥିଲା। ସେଥିରୁ ସେ ସୁସ୍ଥ ହେବା ପରେ ନିମୋନିଆରେ ପୀଡ଼ିତ ହେଲେ। ଯେଉଁଥିପାଇଁ ସେ ଦିଳ୍ଳୀ ଏମ୍ସରେ ଏବେ ଚିକିତ୍ସିତ ହେଉଛନ୍ତି ।