ମୁମ୍ବାଇ: ସମୁଦ୍ର ଜଳପତନକୁ ନେଇ ମୁଣ୍ଡ ଟେକୁଛି ବିପଦ । ଆସନ୍ତା 2050 ବେଳକୁ ଉପକୂଳବର୍ତ୍ତୀ ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ନିଶ୍ଚିହ୍ନ ହୋଇଯିବ ଅନେକ ସହର । ନିକଟରେ ନ୍ୟୁଜର୍ସି ସ୍ଥିତ ବିଜ୍ଞାନ ସଂଗଠନ କ୍ଲାଇମେଟ ସେଣ୍ଟ୍ରାଲ ଦ୍ବାରା ପ୍ରକାଶିତ ଏକ ସନ୍ଦର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି ।
ତଥ୍ୟ ଅନୁଯାୟୀ 2050 ସୁଦ୍ଧା ସମୁଦ୍ରର ସ୍ତର ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ । ବିଶ୍ବର ଅନେକ ବଡ଼ ବଡ଼ ଉପକୂଳବର୍ତ୍ତୀ ସହର ସମୁଦ୍ର ଗର୍ଭକୁ ଚାଲିଯିବ । ଭାରତର ମୁମ୍ବାଇ ଭଳି ସହର ମଧ୍ୟ ଏଥିରେ ପ୍ରଭାବିତ ହେବ । ଦେଶର ଅନ୍ୟ ଉପକୂଳବର୍ତ୍ତୀ ସହରର ପାଖାପାଖି ସାଢେ 3 କୋଟି ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି । କେବଳ ମୁମ୍ବାଇ ନୁହେଁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।
ସେହିଭଳି ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ବିଶ୍ବର ଅନେକ ସହର ବର୍ତ୍ତମାନ ମଧ୍ୟ ସମୁଦ୍ର ପତନ ଠାରୁ ବହୁ ତଳେ ରହିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବଡ଼ବଡ଼ ବରଫ ଖଣ୍ଡ ଦ୍ରୁତ ବେଗରେ ତରଳୁଥିବା ସୂଚନା ରହିଛି । ଫଳରେ ସମୁଦ୍ର ପତନରେ ମଧ୍ୟ ଧିରେ ଧିରେ ବୃଦ୍ଧି ଘଟୁଛି । ଭବିଷ୍ୟତରେ ଏହା ପତନ ଠାରୁ ନିମ୍ନରେ ଥିବା ସହର ଗୁଡ଼ିକ ପ୍ରତି ଏହା ବିପଦ ସୃଷ୍ଟି କରିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
ରିପୋର୍ଟ ଅନୁଯାୟୀ ଏସିଆର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହେବ । ଏହା ବ୍ୟତୀତ ଦକ୍ଷିଣ ଭିଏତନାମର ହୋଚିମିନ ସହର, ବ୍ୟାଙ୍କକକ, ସାଙ୍ଘାଇ, ଇରାକର ବସରା ଭଳି ଅନେକ ବଡ ବଡ ସହର ମଧ୍ୟ ବେଶ ଗୁରୁତର ପ୍ରଭାବିତ ହେବ ।