ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ରହିଛନ୍ତି ଘରୋଇ ଡାକ୍ତର ଓ ଛାତ୍ର ସଙ୍ଘ । ଜାତୀୟ ମେଡିକାଲ କମିଶନ(ଏନଏମସି) ବିଲକୁ ବିରୋଧ କରି ଧାରଣାରେ ବସିଥିବା ଡାକ୍ତର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ମଧ୍ୟ ଧାରଣା ବଳବତ୍ତର ରଖିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି ।
ସର୍ବଭାରତୀୟ ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସେମାନେ ସ୍ବାଗତ କରୁଥିବା ଡାକ୍ତରୀ ସଙ୍ଘ କହିଛି । କିନ୍ତୁ ବିଲ୍ରେ କିଛି ସଂଶୋଧନ ଦାବି କରି ଧାରଣାରୁ ଓହରିବାକୁ ମନା କରିଛନ୍ତି । ସଂଶୋଧନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ସଙ୍ଘ ସ୍ପଷ୍ଟ କରିଛି ।
ଏଠାରେ ସୂଚନା ଥାଉ ଯେ ଗୁରୁବାର ଠାରୁ ଜାତୀୟ ମେଡିକାଲ କମିଶନ(ଏନଏମସି) ବିଲ ବିରୋଧରେ ଡାକ୍ତର ଧାରଣାରେ ବସିଛନ୍ତି । ଏନେଇ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ ଭେଟିବା ସହ ଏନଏମସି ବିଲ ସମ୍ବନ୍ଧରେ ଥିବା ଭୁଲ ଧାରଣାକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ଏହି ବିଲ ଦେଶର ସ୍ବାର୍ଥ, ଡାକ୍ତର ତଥା ରୋଗୀଙ୍କ ହିତ ଉଦ୍ଦେଶ୍ୟରେ ହୋଇଥିବା ସେ ପ୍ରକାଶ କରିଥିଲେ । ଏହାସହ ବିକ୍ଷୋଭକାରୀ ଡାକ୍ତରଙ୍କୁ ଧାରଣାରୁ ଓହରିବାକୁ ସେ ଆହ୍ବାନ ଦେଇଥିଲେ ।