ରବିବାର ଅପରାହ୍ଣରେ ଏକ ଦୁଃଖଦ ଖବର ମିଳିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପରଲୋକ ଘଟିଥିଲା । ଖବର ଅନୁସାରେ, ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଶରୀର ମିଳିଥିଲା । ତା’ପର ଦିନ ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ନିଶ୍ଚିତ ଭାବରେ ଜଣାପଡ଼ିଗଲା ଯେ ଏହା ଏକ ଆତ୍ମହତ୍ୟା ମାମଲା ।
ଭବିଷ୍ୟତର ଅନେକ ଉଜ୍ଜ୍ବଳ ସମ୍ଭାବନା ସହିତ 34 ବର୍ଷର ଜଣେ ଉଦୀୟମାନ ଅଭିନେତାଙ୍କ ଜୀବନର ଅକାଳ ଅନ୍ତ ଘଟିଲା । ଏହି ବାସ୍ତବତା ବଦଳିବ ନାହିଁ । କିନ୍ତୁ, ଗଣମାଧ୍ୟମରେ ଯେଉଁଭଳି ଭାବରେ ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ କରାଯାଉଛି, ତାହା ବଦଳିବାର ଆବଶ୍ୟକତା ରହିଛି ।
କେଇ ମିନିଟ୍ ଭିତରେ ସବୁ ଟେଲିଭିଜନ ଚ୍ୟାନେଲ ସେ ଦିନର ‘ବିଗ୍ ବ୍ରେକିଂ’ ଖବର ପ୍ରସାରଣ କରିବାରେ ଲାଗିପଡ଼ିଲେ । ଯୁବା ବୟସରେ ଗୋଟିଏ ଜୀବନର ଅନ୍ତ ନୁହେଁ, ବରଂ ସୁଶାନ୍ତ ସିଂହ ରାଜପୁତ କେମିତି ଆତ୍ମହତ୍ୟା କରିଥିଲେ ତାହା ଉପରେ ଧ୍ୟାନକେନ୍ଦ୍ରିତ ହୋଇଥିଲା । ପ୍ରାୟତଃ, ଦିନସାରା ଅଧିକାଂଶ ଟେଲିଭିଜନ୍ ଚ୍ୟାନେଲ ଯେଉଁ ‘ବ୍ରେକିଂ ନ୍ୟୁଜ୍’ ପ୍ରସାରଣ କରିଥିଲେ, ସେଥିରେ ସୁଶାନ୍ତ ସିଂହ କେଉଁଭଳି ଭାବରେ ନିଜ ଜୀବନର ଅନ୍ତ ଘଟାଇଲେ ତାହା ହିଁ କୁହାଯାଇଥିଲା । ଏମିତି କି, ଯେଉଁ କପଡ଼ାରେ ତାଙ୍କ ମୃତଶରୀର ଝୁଲୁଥିବା ଦେଖାଯାଇଥିଲା, ତାହାର ରଙ୍ଗ ବିଷୟରେ ବି ଦର୍ଶକମାନଙ୍କୁ କହିଥିଲେ । ତାଙ୍କ ମୃତଶରୀରକୁ ଘର ଭିତରକୁ ବାହାର କରାଯିବା ଦୃଶ୍ୟର ସିଧା ପ୍ରସାରଣ ସହିତ ପାଟନାରେ ଥିବା ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ବକ୍ତବ୍ୟ ନେବାକୁ ସେମାନେ ଏକ ପ୍ରକାର ଅଡ଼ି ବସିଥିଲେ । ଏହାଠୁ ଆହୁରି ଖରାପ କଥା ହେଲା ଯେ, ତାଙ୍କ ଆତ୍ମହତ୍ୟା ପଛରେ ଥିବା କାରଣ ସଂପର୍କରେ ଅନୁମାନ କରିବାରେ ଲାଗିଥିଲେ - ପେସାଦାର ଜୀବନରେ ବିଫଳତାରୁ ଆରମ୍ଭ କରି ପ୍ରେମିକାଙ୍କ ବିଚ୍ଛେଦ ଏବଂ ଆର୍ଥିକ ଦୁଃସ୍ଥିତି ପର୍ଯ୍ୟନ୍ତ । ସେ ଯେ ମାନସିକ ଅବସାଦଗ୍ରସ୍ତ ଥିଲେ ଏବଂ ଏଥିପାଇଁ ଚିକିତ୍ସିତ ହେଉଥିଲେ ଏହା ଜଣାପଡ଼ିବା ପରେ ହିଁ ଅନୁମାନରେ ପୂର୍ଣ୍ଣଚ୍ଛେଦ ଲାଗିଥିଲା ।
ଯେମିତି କି ଆଶା କରାଯାଉଥିଲା, ସକାଳର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଅଭିନେତାଙ୍କ ଫଟୋ ସହିତ ଖବର ସ୍ଥାନିତ ହୋଇଥିଲା ଏବଂ ଏକ ମୂଲ୍ୟବାନ ଜୀବନର ଅନ୍ତ ସଂପର୍କିତ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା । ଦୋଷାରୋପ କରୁନାହିଁ, କିନ୍ତୁ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଘଟଣା ସଂପର୍କିତ ‘ବ୍ରେକିଂ ନ୍ୟୁଜ୍ର ସର୍ବପ୍ରଥମ’ ପ୍ରସାରଣ କରନ୍ତି ଏବଂ ଟିକିନିଖି ବିବରଣୀ, ପ୍ରଦର୍ଶନ ଏବଂ ଫଟୋଚିତ୍ର ପ୍ରକାଶନ ଲାଗି ବିଭିନ୍ନ ସମ୍ବାଦପତ୍ର ପ୍ରତିଯୋଗିତା କରନ୍ତି । ଏହି ଖବରର ଯେ ପ୍ରାଧାନ୍ୟ ରହିଛି ଏହା ନିଃସନ୍ଦେହ, କିନ୍ତୁ ଆତ୍ମହତ୍ୟା ଖବର କ’ଣ ଆକର୍ଷଣୀୟ ଭାବେ ପରିବେଷିତ ହେବା ଉଚିତ ? ହୁଏତ, ଏହା କୁହାଯାଇପାରେ ଯେ ଦୁଇଟି ଭିତରେ ପ୍ରଭେଦ ବାରିବା କଷ୍ଟକର, କାରଣ, ଆପାତତଃ ଏହା ଏକ ଆତ୍ମହତ୍ୟା ବୋଲି ମନେ ହେଉଥିଲେ ହେଁ ସାଧାରଣତଃ ଏହି କଥାକୁ ସମସ୍ତେ ଭୁଲିଯାଆନ୍ତି ଯେ ଆତ୍ମହତ୍ୟା ଖବରର ବାରମ୍ବାର ପୁନରାବୃତ୍ତି ଏହି ଚରମ ପଦକ୍ଷେପ ନେବା ଦିଗରେ ଅନ୍ୟମାନଙ୍କୁ ‘ପ୍ରେରିତ’ କରିପାରେ ।
ବିଶ୍ବର ବିଭିନ୍ନ ସ୍ଥାନରେ କରାଯାଇଥିବା 50ରୁ ଅଧିକ ଗବେଷଣାରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ ଯୋଗୁଁ ମାନସିକ ସ୍ତରରେ ଦୁର୍ବଳ ଅନ୍ୟ ବ୍ୟକ୍ତିମାନଙ୍କର ଆତ୍ମହତ୍ୟା କରିବା ସମ୍ଭାବନା ବୃଦ୍ଧି ହୋଇପାରେ । ଅବଶ୍ୟ, ଏହା ପରିବେଷିତ ଖବରର ପରିମାଣ, ସମୟସୀମା ଏବଂ ପ୍ରଦତ୍ତ ଗୁରୁତ୍ବ ଉପରେ ନିର୍ଭର କରେ । ‘ମାନସିକ ଦୁର୍ବଳ ବ୍ୟକ୍ତି’ କହିଲେ ଯେଉଁ ବ୍ୟକ୍ତିମାନେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କୁ ବୁଝାଏ ଏବଂ ସେମାନେ ଗଣମାଧ୍ୟମରେ ଏହାକୁ ଦେଖିବା ବା ପଢ଼ିବା ପରେ ଏହାର ନକଲ କରିବାକୁ ଉଦ୍ୟମ କରିପାରନ୍ତି । ବିଶିଷ୍ଟ ବ୍ୟକ୍ତିମାନଙ୍କ ଆତ୍ମହତ୍ୟା ଖବରକୁ ରୋମାଞ୍ଚକର ଢଙ୍ଗରେ ଉପସ୍ଥାପନ କରାଗଲେ ଏହା ସେହିଭଳି ବ୍ୟକ୍ତିମାନଙ୍କୁ ‘ପ୍ରେରିତ’ କରିବ ଏବଂ ଏଭଳି କରିବା ‘ଠିକ୍’ ଏବଂ ଏହା ଦ୍ବାରା ସେମାନେ ତୁରନ୍ତ ବିଶିଷ୍ଟ ବ୍ୟକ୍ତିରେ ପରିଣତ ହୋଇଯିବେ ବୋଲି ମଧ୍ୟ ଧରିନେବେ । ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଣମାଧ୍ୟମରେ ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ ଯୋଗୁଁ ଆତ୍ମହତ୍ୟା ଘଟଣାରେ 2.5 ଗୁଣ ବୃଦ୍ଧି ଘଟିଛି । ଏହା ‘କପିକ୍ୟାଟ୍ ସୁଇସାଇଡ୍’ରୂପେ ଅଭିହିତ ଏବଂ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଆତ୍ମହତ୍ୟା ପରେ ଆତ୍ମହତ୍ୟା ହାର ସର୍ବାଧିକ ବୃଦ୍ଧି ପାଇଥିବା ମଧ୍ୟ ପ୍ରମାଣିତ ହୋଇଛି । ସରଳ ଭାଷାରେ କହିଲେ, ଗଣମାଧ୍ୟମରେ ବହୁଚର୍ଚ୍ଚିତ ରାଜନୈତିକ ନେତାଙ୍କ ଆତ୍ମହତ୍ୟା ପରେ ଏବଂ ଏହାକୁ ଚାଞ୍ଚଲ୍ୟକର ଢଙ୍ଗରେ ପରିବେଷଣ କରାଯିବା ପରେ ଏହା ସଂଘଟିତ ହୋଇଥାଏ ।
ଅନ୍ୟପକ୍ଷରେ, ଆତ୍ମହତ୍ୟା ପ୍ରତିରୋଧ କରିବା କ୍ଷେତ୍ରରେ ଗଣମାଧ୍ୟମ ସକାରାତ୍ମକ ଭୂମିକା ନିର୍ବାହ କରିପାରେ ବୋଲି ରହିଥିବା ପ୍ରମାଣ ମଧ୍ୟ ବଢ଼ିବାରେ ଲାଗିଛି । ଗଣମାଧ୍ୟମରେ ଆତ୍ମହତ୍ୟାରୁ ନିବୃତ୍ତ ରହିବା ପାଇଁ ବିକଳ୍ପ ଉପାୟ ପରିବେଷଣ କରିବା ଦ୍ବାରା ଏହି ସଂକଟର ସମାଧାନ ସଂପର୍କିତ ତତ୍ତ୍ବକୁ ‘ପାପାଜେନୋ ଷ୍ଟଡିଜ୍’ ବୋଲି କୁହାଯାଏ । ଚାଞ୍ଚଲ୍ୟକର ରିପୋର୍ଟ ହ୍ରାସ କରିବା ସହିତ ଆତ୍ମହତ୍ୟା ଭାବନା ଏବଂ ପ୍ରତିକୂଳ ପରିସ୍ଥିତି ସଂପର୍କରେ ଅଧିକରୁ ଅଧିକ ରିପୋର୍ଟ ପ୍ରସାରଣ ବଳରେ ଆତ୍ମହତ୍ୟା ପ୍ରତିରୋଧ କ୍ଷେତ୍ରରେ ଗଣମାଧ୍ୟମ ପ୍ରାସଙ୍ଗିକ ଯୋଗଦାନ କରିପାରିବ
କୌଣସି ଆତ୍ମହତ୍ୟା ପଛରେ ମାତ୍ର ଗୋଟିଏ କାରଣ ନଥାଏ । ବରଂ, ଅଧିକାଂଶ ସମୟରେ ଏହା ମାନସିକ ଅବସାଦ/ଚାପରୁ ଆରମ୍ଭ କରି ଗୁରୁତର ମାନସିକ ଅସୁସ୍ଥତା ଭଳି ମାନସିକ ବିକାରର ପରିଣତି ହୋଇପାରେ । ବେଳେବେଳେ ଏହା ବଂଶଗତ କିମ୍ବା ଅତୀତରେ ପରିବାର ଲୋକେ ଆତ୍ମହତ୍ୟା କରିଥିବା କାରଣରୁ ହୋଇଥାଏ । କିନ୍ତୁ ବ୍ୟକ୍ତିଙ୍କ ମାନସିକ ବିକାର ଅବସ୍ଥାକୁ ଅପନିନ୍ଦାମୁକ୍ତ କରି ଏବଂ ଏହାକୁ ଅନ୍ୟ ଯେ କୌଣସି ରୋଗ ରୂପେ ଗ୍ରହଣ କରିନେଇ, ସେମାନଙ୍କୁ ଉପଲବ୍ଧ ସ୍ବାସ୍ଥ୍ୟସେବା ପ୍ରଦାନ କରାଗଲେ ଆତ୍ମହତ୍ୟାର ପ୍ରତିରୋଧ କରାଯାଇ ପାରିବ । କେତେକ ସମୟରେ କେବଳ ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିଙ୍କ କଥା ମନ ଦେଇ ଶୁଣିବା ଫଳରେ ହିଁ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇପାରନ୍ତି । ଅନେକ ସମୟରେ ଏହା ହିଁ ବିଶ୍ବାସ କରାଯାଉଥିଲେ ହେଁ, ମାନସିକ ବିକାରଗ୍ରସ୍ତ ଲୋକେ ‘ପାଗଳ’ ନୁହଁନ୍ତି ।
2008 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗଣମାଧ୍ୟମରେ ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ କ୍ଷେତ୍ରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । କେତେକ କାରଣରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଯଥୋଚିତ ଢଙ୍ଗରେ ଏହି ନିର୍ଦ୍ଦେଶାବଳୀର ଅନୁସରଣ କରୁନାହାନ୍ତି ।
ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ ସମୟରେ ଗଣମାଧ୍ୟମ 11ଟି ବିଷୟ ଉପରେ ଧ୍ୟାନ ରଖିବା ଦରକାର ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ତାଲିକା ପ୍ରକାଶ କରାଯାଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଲା ଯେ ଆତ୍ମହତ୍ୟା ଖବରକୁ ଚାଞ୍ଚଲ୍ୟକର ଢଙ୍ଗରେ ପରିବେଷଣ ନ କରି ଆତ୍ମହତ୍ୟାର ପ୍ରତିରୋଧ ପାଇଁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରାଇବା । ଚାଞ୍ଚଲ୍ୟକର ନକରିବା ଅର୍ଥ ହେଉଛି, ଖବରର ଶିରୋନାମାରେ ‘ଆତ୍ମହତ୍ୟା’ ଶବ୍ଦ ବ୍ୟବହାର ନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ବୋଲି କୁହାଗଲେ ବି ଏହା ଦୃଷ୍ଟି ଆକର୍ଷଣ କରିବ ।
ଆଉ ଯେଉଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀକୁ ଗଣମାଧ୍ୟମ ଅନୁସରଣ କରିବା ଦରକାର, ସେଗୁଡ଼ିକ ହେଲା ମୃତବ୍ୟକ୍ତିଙ୍କ ଫଟୋ ବ୍ୟବହାର ନକରିବା, ଆତ୍ମହତ୍ୟାର ସ୍ଥାନ ଚିହ୍ନଟ ନ କରିବା ଏବଂ ଆତ୍ମହତ୍ୟାରେ ବ୍ୟବହୃତ ଉପାୟ ସଂପର୍କରେ ବର୍ଣ୍ଣନା ନକରିବା । ସେଭଳି ଏକ ସଂକଟପୂର୍ଣ୍ଣ ସ୍ଥିତିରେ ପରିବାର ଲୋକଙ୍କ ଭାବନାକୁ ସମ୍ମାନ ଦେବା ସହିତ କୌଣସି ବକ୍ତବ୍ୟ ଦେବାକୁ ନକହିବା ଏବଂ ସେମାନଙ୍କର ପୂର୍ବ ଅନୁମତି ବିନା ଦୃଶ୍ୟ ଓ ଚିତ୍ର ଉତ୍ତୋଳନ ନ କରିବାକୁ ମଧ୍ୟ ସୁପାରିସ କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମତରେ, ଏହା ବଦଳରେ, ମାନସିକ ସ୍ବାସ୍ଥ୍ୟସେବା ଏବଂ ସୁବିଧା ଉପଲବ୍ଧ ହେଉଥିବା କେନ୍ଦ୍ର ସଂପର୍କିତ ବିବରଣୀ ସହିତ ହେଲ୍ପଲାଇନ ନମ୍ବର ପ୍ରଦାନ କରାଗଲେ ଏହା ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିଙ୍କ ପାଇଁ ଖୁବ୍ ସହାୟକ ହେବ । ଯତ୍ନ ସହକାରେ ଶବ୍ଦ ଚୟନ ହିଁ ଗୁରୁତ୍ବପୂର୍ଣ୍ଣ । ସୁଇସାଇଡ୍ ନୋଟ୍ର ବିଷୟବସ୍ତୁ ପ୍ରକାଶ କରା ନଯାଇ କେବଳ ଏକ ସୁଇସାଇଡ୍ ନୋଟ୍ ମିଳିଛି ଏବଂ ଏହାକୁ ପରୀକ୍ଷା କରି ଦେଖାଯାଉଛି ବୋଲି କହିବା ହିଁ ଠିକ୍ ହେବ ।
ଆତ୍ମଘାତୀ ଉଦ୍ୟମକୁ ସ୍ବାଭାବିକତାର ରୂପ ଦେଉଥିବା ଶବ୍ଦାବଳୀ, ଯେମିତି କି ଆତ୍ମହତ୍ୟାର ‘ମହାମାରୀ’ ରୂପ କିମ୍ବା ‘ବିଫଳ ଉଦ୍ୟମ’, ବ୍ୟବହାର ନ କରିବାକୁ ସୁପାରିସ କରାଯାଇଛି । ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ସତର୍କ ସଂକେତ ଏବଂ ହେଲ୍ପଲାଇନ୍ ନମ୍ବର ପ୍ରଦାନ ସମେତ ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ୟା ସଂପର୍କରେ ସମାଜକୁ ସଚେତନ କରାଇବା ଗୁରୁତ୍ବପୂର୍ଣ୍ଣ ବିଷୟ । ଆତ୍ମହତ୍ୟା ଯୋଗୁଁ ଜଣେ ବ୍ୟକ୍ତିଙ୍କ ସବୁ ସମସ୍ୟାର ଅନ୍ତ ହୋଇଛି ବୋଲି ଲୋକଙ୍କ ବକ୍ତବ୍ୟ ପ୍ରସାରଣ କରିବା କିମ୍ବା କାରଣ ସଂପର୍କରେ ଅନୁମାନ କରିବା ଦ୍ବାରା ଜୀବନର ସମସ୍ୟା ସହ ଯୁଝୁଥିବା ଅନ୍ୟ ମାନସିକ ଦୁର୍ବଳ ବ୍ୟକ୍ତିମାନେ ଜୀବନ ହରାଇବା ହିଁ ସମାଧାନର ଉପାୟ ବୋଲି ଧରିନେଇପାରନ୍ତି ।
2019 ସେପ୍ଟେମ୍ବରରେ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ମଧ୍ୟ ଏହି ନିର୍ଦ୍ଦେଶାବଳୀକୁ ଅନୁମୋଦନ କରିବା ସହିତ ପୂର୍ବ ଅନୁମତି ବିନା ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କର ଚିତ୍ର କିମ୍ବା ଦୃଶ୍ୟ ପ୍ରସାରଣ ଏବଂ ସେମାନଙ୍କ ପରିଚୟ ପ୍ରକାଶ ନ କରିବାକୁ ବିଭିନ୍ନ ଗଣମାଧ୍ୟମକୁ ପ୍ରସ୍ତାବ ଦେଇଥିଲା ।
ହେଲେ ଭାରତର ଗଣମାଧ୍ୟମରେ ଆତ୍ମହତ୍ୟା ସଂପର୍କିତ ଖବର ପରିବେଷଣ ଆଦର୍ଶ ଧରଣର ହୋଇପାରି ନାହିଁ । କିନ୍ତୁ ଏ କ୍ଷେତ୍ରରେ ବିଶ୍ବର ପ୍ରଥମ ଦେଶ ଭାବରେ, 1987 ମସିହାରେ ଗଣମାଧ୍ୟମ ଲାଗି ନିୟମ ସୁପାରିସ କରିଥିବା ଅଷ୍ଟ୍ରିଆ ଏବଂ ଅନ୍ୟ ଦେଶଗୁଡ଼ିକ ଏବେ ଗଣମାଧ୍ୟମର ସକ୍ରିୟ ସହଯୋଗ ବଳରେ ଆତ୍ମହତ୍ୟାର ପ୍ରତିରୋଧ କରିହେବ ଏବଂ ଖବର ପ୍ରସାରଣର ମାନରେ ଉନ୍ନତି ହୋଇପାରିବ ବୋଲି ବିଶ୍ବାସ କରୁଛନ୍ତି ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ 2018ରେ ଭାରତରେ ଆତ୍ମହତ୍ୟାର ହାର ଥିଲା 100.000 ଲୋକସଂଖ୍ୟାରେ 10.2 ଜଣ । ପ୍ରତି ବର୍ଷ ଦେଶରେ 1 ଲକ୍ଷ 34 ହଜାର ଲୋକ ଆତ୍ମହତ୍ୟା କରନ୍ତି ଏବଂ ଆଉ 1 ଲକ୍ଷ 60 ହଜାର ଆତ୍ମହତ୍ୟା ସଂପର୍କରେ ରିପୋର୍ଟ କରାଯାଏ ନାହିଁ । 14-29 ବର୍ଷ ବୟସରେ, ଜୀବନର ସର୍ବାଧିକ ଫଳପ୍ରସୂ ବୟସ ବର୍ଗରେ ସଂଖ୍ୟାଧିକ ବ୍ୟକ୍ତି ଆତ୍ମହତ୍ୟା କରିଥାଆନ୍ତି
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା, ବିଭିନ୍ନ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପକ୍ଷ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ କଠୋର ଭାବରେ ପାଳନ କରିବା ସହିତ ଲୋକଙ୍କ ଜୀବନ ବଞ୍ଚାଇବା ଦିଗରେ ଏକ ସୁଯୋଗ ଆଣିଦେଇଥିଲା । ଏ ଜୀବନ ଜଣେ ଗଣମାଧ୍ୟମ ବ୍ୟକ୍ତିଙ୍କର ବି ହୋଇପାରେ, କାରଣ, ଏହି ବ୍ୟାଧି ସଂକ୍ରମଣରେ ସେମାନେ ବ୍ୟତିକ୍ରମ ନୁହଁନ୍ତି ।
କୋରୋନା ଭାଇରସ୍ ଯୋଗୁଁ ଜୀବନ ଚାପଗ୍ରସ୍ତ ହୋଇଥିବା ସମୟରେ ଏବଂ ଚାକିରି ହରାଇବା ଏବଂ ଚିକିତ୍ସା ପରବର୍ତ୍ତୀ ଲକ୍ଷଣ କାରଣରୁ, ଏମିତି କି ଏହି ରୋଗ ସହ ସଂଶ୍ଲିଷ୍ଟ ଅପନିନ୍ଦା ସହି ନପାରି ସଙ୍ଗରୋଧ କେନ୍ଦ୍ରରେ ଲୋକେ ଆତ୍ମହତ୍ୟା କରୁଥିବା ସମୟରେ, ଏହି ନିର୍ଦ୍ଦେଶାବଳୀ ପାଳନର ଆବଶ୍ୟକତା ରହିଛି ।
ଆରତି ଧର, ବରିଷ୍ଠ ସାମ୍ବାଦିକ