ନୂଆଦିଲ୍ଲୀ: ହନୁମାନ ଚାଳିଶାକୁ ନେଇ ଦିଲ୍ଲୀ ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିଲା । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ନେତା କୈଳାଶ ବିଜୟବର୍ଗୀୟ ଦିଲ୍ଲୀର ସ୍କୁଲ ଓ ମାଦ୍ରାସାରେ ହନୁମାନ ଚାଳିଶା ପାଠ୍ୟକ୍ରମ ସାମିଲ କରାଯାଉ ବୋଲି କହିଛନ୍ତି ।
କୈଳାଶ ବିଜୟବର୍ଗୀୟ ଟ୍ବିଟ କରି ଲେଖିଛନ୍ତି, ଅରବିନ୍ଦ କେଜ୍ରିବାଲଙ୍କୁ ବିଜୟର ଢେର ସାରା ଶୁଭେଚ୍ଛା । ଏହା ନିଶ୍ଚିତ ଯେ ହନୁମାନ ଶରଣରେ ଯିଏ ଆସିବ ତାକୁ ନିଶ୍ଚିତ ଭାବରେ ଆଶିର୍ବାଦ ମିଳେ । ଏବେ ସମୟ ଆସିଯାଇଛି ଦିଲ୍ଲୀର ସମସ୍ତ ବିଦ୍ୟାଳୟ, ମାଦ୍ରାସା ସହ ସମସ୍ତ ଶିକ୍ଷା ସଂସ୍ଥାନରେ ହନୁମାନ ଚାଳିଶା ପାଠ କାର୍ଯ୍ୟକାରୀ କରାଯାଉ । ବଜରଙ୍ଗବାଲୀଙ୍କ କୃପାରୁ ଦିଲ୍ଲୀବାସୀର ଶିଶୁ କାହିଁକି ବଞ୍ଚିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ (ଆପ) କ୍ଲିନସୁଇପ କରି ମୋଟ 70ଟି ଆସନରୁ 62 ଆସନ ହାସଲ କରିଛି । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା 16ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ