ନୂଆଦିଲ୍ଲୀ: ଗାଈକୁ ନେଇ ଅନେକ ସମୟରେ ଅନେକ ଦାବି କରାଯାଇଛି। କେତେକ ବିବାଦୀୟ ମଧ୍ୟ ହୋଇପଡିଛି। ବର୍ତ୍ତମାନ ଜାତୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭଭାଇ କଥିରିଆ ଗୋବର ସମ୍ବନ୍ଧରେ ଏକ ପୃଥକ ଦାବି କରିଛନ୍ତି । ସେ କହିଛନ୍ତି, ମୋବାଇଲରୁ ବାହାରୁଥିବା ରେଡିଏସନକୁ ଗୋବର କମ୍ କରିପାରେ ।
ଜାତୀୟ କାମଧେନୁ ଆୟୋଗର ଚେୟାରମ୍ୟାନ୍ ବଲ୍ଲଭଭାଇ କଥିରିଆ ସୋମବାର ‘କାମଧେନୁ ଦୀପାବଳୀ ଅଭିଯାନ’ର ଦେଶବ୍ୟାପୀ ଅଭିଯାନରେ ଗୋବରରେ ପ୍ରସ୍ତୁତ ଏକ ଚିପ୍ ଉନ୍ମୋଚନ କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଯେ ଏହି ଚିପ୍ ମୋବାଇଲ୍ ହ୍ୟାଣ୍ଡସେଟରୁ ବାହାରୁଥିବା ବିକିରଣ ବା ରେଡିଏସନକୁ ଯଥେଷ୍ଟ ହ୍ରାସ କରିଥାଏ ।
ସେ କହିଛନ୍ତି, ‘ ଯଦି ଆପଣ ଗୋବରରେ ତିଆରି ଏହି ଚିପକୁ ମୋବାଇଲରେ ରଖନ୍ତି, ତେବେ ଏହା ବିକିରଣକୁ ଯଥେଷ୍ଟ କମ କରିଥାଏ । ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହି ଚିପର ନାମ ‘ଗୌସତ୍ବ କଭଚ୍’ ରଖାଯାଇଛି ।
ଗୋବର ସମସ୍ତଙ୍କୁ ସୁରକ୍ଷା ଦେବ । ଏହା ବୈଜ୍ଞାନିକ ଭାବରେ ପ୍ରମାଣିତ ହୋଇଛି । ଏହା ଏକ ବିକିରଣ ଚିପ ଯାହା ମୋବାଇଲ୍ ଫୋନରେ ବିକିରଣ ହ୍ରାସ କରିବାରେ ବ୍ୟବହୃତ ହୋଇପାରେ । ଏହା ଆପଣଙ୍କୁ ରୋଗରୁ ସୁରକ୍ଷିତ ରଖିବ ବୋଲି ସେ ଦାବି କରିଛନ୍ତି । ପ୍ରକାଶଥାଉକି, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କାମଧେନୁ ଆୟୋଗ ଫେବୃଆରୀ, 2019 ରେ କେନ୍ଦ୍ର ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ‘ଗାଈ ସଂରକ୍ଷଣ ଏବଂ ବିକାଶ’।