ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବରେ ପଦଭାର ସମ୍ଭାଳିଛନ୍ତି ରାଜୀବ କୁମାର । ଦେଶର ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ଗତ ମାସରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଥିଲେ । 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ଆଇଏଏସ୍ ଅଫିସର ରାଜୀବ କୁମାରଙ୍କୁ ଅଶୋକ ଲାଭାସାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି । ଅଶୋକ ଲାଭାସା ଆସନ୍ତା ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ରେ ଉପ-ସଭାପତି ଭାବରେ ଯୋଗଦେବେ । ସେଥିପାଇଁ ସେ ଇସ୍ତଫା ଦେଇଥିଲେ ।
ଅର୍ଥ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ରାଜୀବ କୁମାର କର୍ମଚାରୀ ଏବଂ ତାଲିମ ବିଭାଗରେ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ। ସେ ଏସିସି ଦ୍ବାରା କରାଯାଇଥିବା ପଦୋନ୍ନତି ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହିତ ଅନେକ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଲାଭାସା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଅଗଷ୍ଟ 31ରେ ତାଙ୍କୁ ରିଲିଭ କରିବାକୁ ଅନୁରୋଧ କରିଥିଲେ। ଗତ ବୁଧବାର ରାଷ୍ଟ୍ରପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ ।