ଗାନ୍ଧୀନଗର: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଫ୍ଲାଇ-ପାଷ୍ଟର ଉଡ଼ାଣର ନେତୃତ୍ବ ଜଣେ ମହିଳା ପାଇଲଟ ନେବାକୁ ଯାଉଛନ୍ତି । ଏଥିଲାଗି ଅଜମେରର ଫ୍ଲାଇଟ୍ ଲେଫ୍ଟନାଣ୍ଟ ସ୍ବାତି ରାଠୋରଙ୍କୁ ଏହି ଦାୟିତ୍ବ ମିଳିଥିବା ଜଣାପଡିଛି ।
ପ୍ରତିବର୍ଷ ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ଆକାଶ ମାର୍ଗରେ ହେଉଥିବା ଫ୍ଲାଇ-ପାଷ୍ଟର ନେତୃତ୍ବ ବାୟୁ ସେନାର ପୁରୁଷ ପାଇଲଟ ନେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ଜଣେ ମହିଳା ପାଇଲଟଙ୍କୁ ଦାୟିତ୍ବ ଦିଆଯାଇଛି । ଅଜମେର ଝିଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସ୍ବାତି ରାଠୋରଙ୍କୁ ଏହି ଦାୟିତ୍ବ ମିଳିଛି । ଏହା ରାଜସ୍ଥାନ ପାଇଁ ଏକ ଗର୍ବର ବିଷୟ ହୋଇଥିବା ବେଲେ ସ୍ବାତି ପ୍ରଥମ ମହିଳା ପାଇଲଟ ଭାବେ ଏହି ସଫଳତା ହାସଲ କରିଛନ୍ତି ।
ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସ୍ବାତି ନାଗୌରର ପ୍ରେମୁରା ଗ୍ରାମର ବୋଲି ଜଣାପଡିଛି । ସ୍ବାତି ଅଜମେରର ମୟୂର ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ଜୟପୁରର ଆଇସିଜି କଲେଜରେ ଉଚ୍ଚଶିକ୍ଷା କରିଥିଲେ । ସେ ବର୍ତ୍ତମାନ ଅଜମେରର ବାସ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟର ଏୟାରବେସରେ କାର୍ଯ୍ୟ କରୁଛନ୍ତି । ସୂଚନା ଅନୁଯାୟୀ, ଗଣତନ୍ତ୍ର ଦିବସରେ ପ୍ୟାରେଡରେ ସ୍ବାତି ଉଡ଼ାଣର ଦାୟିତ୍ବ ପାଇଛନ୍ତି ।
ଏହାପୂର୍ବରୁ ସ୍ବାତି ବାୟୁସେନା ଦିବସରେ ଫ୍ଲାଇପାଷ୍ଟର ଅଭିଜ୍ଞତା ନେଇଛନ୍ତି । କେରଳରେ ବନ୍ୟା ସମୟରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ସ୍ବାତି ନିଜ ଦକ୍ଷତାର ପ୍ରଦର୍ଶନ କରିଛନ୍ତି । ତାଙ୍କ ପିତା ଡକ୍ଟର ଭବାନୀ ସିଂ କୃଷି ବିଭାଗର ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାନୁସାରେ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ସ୍ବାତିଙ୍କ ନେତୃତ୍ୱରେ ଏକ ବିମାନ ରାଜପଥ ଦେଇ ଯିବ, ଯେଉଁଥିରେ 5 ଟି ବିମାନ ଅନ୍ତର୍ଭୁକ୍ତ କରାଯିବ । ଏହାବ୍ୟତୀତ ବାୟୁସେନାର ସୁଖାଇ-30, ହେଲିକପ୍ଟର ଏବଂ ହାଲୁକା ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ ହେବ । ତେବେ ସ୍ବାତିଙ୍କ ଏହି ସଫଳତା ମହିଳା ଶକ୍ତି ଏବଂ ସଶକ୍ତିକରଣର ବାର୍ତ୍ତା ଦେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ