ଜୟପୁର: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ଶେଷ ହୋଇସାରିଛି । କିନ୍ତୁ ଶୀର୍ଷ ସ୍ତରରେ ଏବେ ମଧ୍ୟ ମନମାଳିନ୍ୟ ଦୂର ହୋଇନଥିବା ଦେଖାଯାଉଛି। 19 ଜଣ ବିଧାୟକଙ୍କ ବିନା ବି ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ ବୋଲି ବିଦ୍ରୋହୀ ସଚିନ ପାଇଲଟଙ୍କ ସହ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପଇଲଟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଜାରି ରହିଥିଲା । କଂଗ୍ରେସର ବରିଷ୍ଠ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ଏବେ ବିବାଦ ଶେଷ ହୋଇଛି। ବିବାଦ ଶେଷ ହେବା ପରେ ଆଜି ଦୁଇ ନେତା ଭେଟିଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାନସଭା ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଚିନ ପାଇଲଟ, ଅଶୋକ ଗେହଲଟ୍ ଏବଂ ଦଳର ସମସ୍ତ ବିଧାୟକ ଏକାଠି ହୋଇଥିଲେ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟ ସାକ୍ଷାତ ମଧ୍ୟ କରିଥିଲେ। ତେବେ କଂଗ୍ରେସ ନିଜେ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପସ୍ଥାପନ କରିବ ବୋଲି ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେ ନିଜେ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବୁ। ଏହି 19 ଜଣ ବିଧାୟକଙ୍କ ବିନା ବି ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ । କିନ୍ତୁ ଏଭଳି କରି ଆମେ ଖୁସି ହୋଇନଥାନ୍ତୁ ବୋଲି ସେ କହିଛନ୍ତି।
ତେବେ ବିଧାୟକଙ୍କ ଅସନ୍ତୋଷ ସମ୍ପର୍କରେ ଗେହଲଟ କହିଛନ୍ତି, ବିଧାୟକଙ୍କର ଯଦି କୌଣସି ଅଭିଯୋଗ ଥାଏ ତାହେଲେ ଆମେ ତାର ସମାଧାନ କରିବୁ । ଯଦି ସେମାନେ ଏବେ ଭେଟିବାକୁ ଚାହୁଁଛନ୍ତି ଏବେ ଭେଟିପାରିବେ । ପରେ ଚାହିଁଲେ ପରେ ମଧ୍ୟ ଭେଟିପାରିବେ ବୋଲି ଗେହଲଟ କହିଛନ୍ତି ।