ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ସଟଡାଉନରେ ରହିବ ରେଳ ଭବନ । ଆଜି ଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରେଳ ଭବନରୁ ସମସ୍ତ କାର୍ଯ୍ୟାକଳାପକୁ ସ୍ଥଗିତ ରଖାଯିବ । ଏହି ଦୁଇ ଦିନ ସମ୍ପୂର୍ଣ୍ଣ ଭବନ ସାନିଟାଇଜ କରାଯିବ । କେତେକ କର୍ମଚାରୀ କୋଭିଡ-19ରେ ସଂକ୍ରମିତ ହେବା ପରେ ରେଳୱେ ବୋର୍ଡ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି ।
ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ରେଳୱେ ବୋର୍ଡର କେତେକ ଅଧିକାରୀଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଜୁଲାଇ 9,10,13 ରେ ରେଳ ଭବନରେ କରାଯାଇଥିବା ସ୍ପେଶାଲ ରାପିଡ ଆଣ୍ଟିଜେନ ଟେଷ୍ଟ ସମୟରେ ଏମାନେ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା । ତେଣୁ ସଂକ୍ରମଣ ତୀବ୍ର ଗତିରେ ବ୍ୟାପିବା ପୂର୍ବରୁ ରେଳ ଭବନ କାର୍ଯ୍ୟାଳୟକୁ 2 ଦିନ ବନ୍ଦ ରଖାଯାଇ ସାନିଟାଇଜ କରାଯିବ ।
ସେପଟେ, ଦୁଇ ଦିନିଆ ସଟ ଡାଉନରେ ମଧ୍ୟ କର୍ମଚାରୀ ଘରେ ରହି କାମ କରିବେ । ଏଥିପାଇଁ ସେମାନଙ୍କୁ ଫୋନ ସହ ଯୋଗାଯୋଗ କରିବାର ସମସ୍ତ ଇଲେକ୍ଟ୍ରୋନକ୍ସ ଜିନିଷ ଦିଆଯିବ । ସୋମବାର ସୁଦ୍ଧା ଦିଲ୍ଲୀରେ କୋରୋନାରେ 40ଜଣ ପ୍ରାଣ ହାରିଛନ୍ତି । 1246 ଜଣଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 1,13,740ରେ ପହଞ୍ଚିଛି ।
ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 19,017ଟି ମାମଲା ସକ୍ରିୟ ରହିବା ସହ 91,312 ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଦିଲ୍ଲୀରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3,411କୁ ଛୁଇଁଛି ।
@ANI