ନୂଆଦିଲ୍ଲୀ: କୋରୋନା କବଳରେ ପୁଣି ଜଣେ ରେଳ କର୍ମଚାରୀ । ରବିବାର ରେଳ ଭବନର ଜଣେ ରେଳ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କର୍ମଚାରୀ ଜଣକ ରେଳ ଭବନର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ପ୍ରଡକ୍ସନ ୟୁନିଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ସେ କୋରୋନା ପଜିଟିଭ ଥିବା ଜଣାପଡିବା ପରେ ରେଳ ଭବନ ବିଲ୍ଡିଂର ଦ୍ବିତୀୟ ମହଲାକୁ ସାନିଟାଇଜ କରିବା ପାଇଁ ସିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ 29 ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହୋମ କ୍ବାରେନଣ୍ଟାଇନରେ ରହିବାକୁ କୁହାଯାଇଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଚିହ୍ନଟ ଆକ୍ରାନ୍ତ କର୍ମଚାରୀ ଜଣକ ଶେଷ ଥର ମେ 22ରେ ଅଫିସ ଆସିଥିଲେ । ଏହି ସମୟରେ ସେ ଯେଉଁସବୁ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ସେ ସମସ୍ତଙ୍କୁ କ୍ବାରେନଣ୍ଟାଇନରେ ରହିବାକୁ କୁହାଯାଇଛି । ସମସ୍ତ କର୍ମଚାରୀ 14 ଦିନ କ୍ବାରେନଣ୍ଟାଇନରେ ରହିବା ପରେ ଯଦି ସେମାନଙ୍କ ଠାରେ କୋରୋନା ସମ୍ବନ୍ଧିତ କୌଣସି ଲକ୍ଷଣ ଦେଖାନଯାଏ ତେବେ ଜୁନ 6 ରେ ଅଫିସ ଆସିପାରିବେ ।
ପ୍ରକାଶ ଥାଉ କି ରେଳ ଭବନର 5 ଜଣ କର୍ମଚାରୀ ପୂର୍ବରୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଆଉ ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି ।