ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ 9 ଜଣ ମହିଳା ଥିବାବେଳେ 7 ଜଣ ପୁରୁଷ ରହିଛନ୍ତି । ଏବେ ମଧ୍ୟ ଜଣେ ଲୋକ ନିଖୋଜ ଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଥାଉକି, ମହାରାଷ୍ଟ୍ର ରାୟଗଡ ମହଦ ସହରର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡି ପଡିଥିଲା । ଦୁର୍ଘଟଣାରେ ଅନେକ ଲୋକ ଚାପି ହୋଇରହିଥିଲେ । ସେମାନଙ୍କ ମଧ୍ୟରୁ 15 ଜଣଙ୍କର ମୃତ୍ୟୁ ଘଟିଛି ।
ତେବେ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଘଟଣାରେ ପୋଲିସ 5 ଜଣଙ୍କ ନାମରେ ମାମଲା ରୁଜୁ କରିଛି ।
ସେହିପରି ମୃତକଙ୍କ ପରିବାରକୁ 5 ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ରାଶି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଦୁର୍ଘଟଣାକୁ 36 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଟିମ୍ ଓ ଏସଡିଆରଏଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅନ୍ୟପଟେ 26 ଘଣ୍ଟା ପରେ ଜଣେ 65 ବର୍ଷିୟ ମହିଳାଙ୍କୁ ଉଦ୍ଧାର କରାଯାଇଛି । ସେ ସୁସ୍ଥ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ