ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ପରେ ସାରା ଦେଶରେ ଆକ୍ରୋଶ ଜାରିରହିଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ କରୁଛନ୍ତି। ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ରାହୁଲ ନିଜ ଟ୍ବିଟରେ ବଳରାମପୁର ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ବିଜେପି ସରକାର ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ ୟୁପିର ଜଙ୍ଗଲ ରାଜରେ ଝିଅଙ୍କ ଉପରେ ନିର୍ଯ୍ୟାତନ ଏବଂ ସରକାରଙ୍କ ମନମୁଖୀ କାର୍ଯ୍ୟ ଜାରି ରହିଛି । ଜୀବନ ଥିଲା ବେଳେ କେବେବି ସମ୍ମାନ ଦିଆଯାଇନାହିଁ । ଅନ୍ତିମସଂସ୍କାରର ସମ୍ମାନ ମଧ୍ୟ ଛଡାଇ ନେଇଛନ୍ତି, ବିଜେପିର ସ୍ଲୋଗାନ ‘ଝିଅଙ୍କୁ ବଞ୍ଚାଇବା’ ନୁହେଁ, ବରଂ ‘ତଥ୍ୟ ଲୁଚାଇବା’ ।
ପ୍ରକାଶଥାଉକି, ହାଥରସ ପରି ୟୁପିର ବଳରାମପୁରରେ ମଧ୍ୟ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଖିଳେଶ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ ସରକାରଙ୍କ ନିରବ ଆଦେଶରେ ପ୍ରଶାସନ ଦ୍ବାରା ହାଥରସ ପୀଡିତାଙ୍କ ହତ୍ୟା ହୋଇଛି।
ଏହାପୂର୍ବରୁ ଅଖିଳେଶ ମଧ୍ୟ ବଳରାମପୁର ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବଳରାମପୁର ଘଟଣାରେ ଅଖିଳେଶ ଲେଖିଛନ୍ତି ଯେ ହାଥରସ ପରେ ବର୍ତ୍ତମାନ ବଳରାମପୁରରେ ମଧ୍ୟ ଗଣଦୁଷ୍କର୍ମ ତଥା ଝିଅକୁ ନିର୍ଯ୍ୟାତନା ଦେବା ଭଳି ଘୃଣ୍ୟ ଅପରାଧ ଘଟିଛି । ଅପରାଧୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।