ନୂଆଦିଲ୍ଲୀ: ଲକଡାଉନ୍ କୋରୋନା ବିସ୍ତାରକୁ ରୋକିପାରିଥିବା ବେଳେ ଅର୍ଥନୈତିକ ସମସ୍ୟା କିନ୍ତୁ ବର୍ତ୍ତମାନ ମୁଣ୍ଡ ଟେକି ଠିଆ ହୋଇଛି । ଏଭଳି ପରିସ୍ଥିତିରେ ଉଭୟ କୋରୋନା ମହାମାରୀ ଓ ଆର୍ଥିକ କ୍ଷତିର ମୁକାବିଲା କରିବା ସରକାରଙ୍କ ସମ୍ମୁଖରେ ଏହା ଏକ ଆହ୍ବାନ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ 20 ଲକ୍ଷ କୋଟି ଟଙ୍କାର ଏକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କୃଷକ, ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାରଙ୍କ ସହାୟତାକୁ ଅନୁପଯୁକ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ସରକାରଙ୍କ ସହାୟତା ଋଣ କିମ୍ବା ପ୍ୟାକେଟ ଆକାରରେ ନୁହେଁ ବରଂ ଶ୍ରମିକଙ୍କ ଖାତାକୁ ସିଧା ଯିବା ଦରକାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କୁ ପ୍ୟାକେଜ ନୁହେଁ ଟଙ୍କା ଦରକାର । ଶିଶୁ ଯେତେବେଳେ କାନ୍ଦେ ମା ସେତେବେଳେ ଋଣ ଦିଏନି । ସରକାରଙ୍କୁ ସାହୁକାର ନୁହେଁ ବରଂ ମା ଭଳି ହେବା ଉଚିତ୍ ବୋଲି ସେ କହିଛନ୍ତି ।
ଗରିବଙ୍କ ପାଇଁ ସରକାର, ବିରୋଧି ଓ ମିଡିଆ ମିଶିକି କାମ କରିବା ଜରୁରୀ । ପ୍ରଭାବିତ ସମସ୍ତ ଲୋକଙ୍କ ଖାତାକୁ ସରକାର ସିଧା ଟଙ୍କା ପଠାଇବା ଜରୁରୀ । କୁହାଯାଉଛି ଯେ ଆର୍ଥିକ ନିଅଣ୍ଟ ବୃଦ୍ଧି ହେତୁ ଏଜେନ୍ସିମାନଙ୍କ ଦୃଷ୍ଟିରେ ଭାରତର ମୂଲ୍ୟାୟନ ହ୍ରାସ ପାଇବ। ଏହି ମୁହୂର୍ତ୍ତରେ ରେଟିଂ ବିଷୟରେ ନୁହେଁ, ଭାରତ ବିଷୟରେ ଭାବ । ଯଦି ଭାରତର ସମସ୍ତ ଲୋକ ଭଲ ରହିବେ ତେବେ ସେମାନେ ପୁଣି ଥରେ ଏକାଠି କାମ କରିବେ ଓ ମୂଲ୍ୟାୟନ ସ୍ବୟଂଚାଳିତ ଭାବରେ ଠିକ୍ ରହିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ଆମକୁ ଧିରେ ଧିରେ ଲକଡାଉନ୍ ଉଠାଇବାକୁ ପଡିବ । କାରଣ ଏହା ଆମର ସମସ୍ତ ସମସ୍ୟାର ସମାଧାନ ନୁହେଁ । ସମସ୍ତ ବୃଦ୍ଧ ଓ ପିଲାମାନଙ୍କର ଯତ୍ନ ନେବା ପାଇଁ ଆମକୁ ଧୀରେ ଧୀରେ ଚିନ୍ତା କରିବାକୁ ପଡିବ । ଯାହାଦ୍ବାରା କାହା ପାଇଁ କୌଣସି ବିପଦ ରହିବନାହିଁ ।