ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ନେଇ 6 ଦିନରୁ ପ୍ରଦର୍ଶନ ଜାରି ରଖିଥିବା ଚାଷୀ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକ ପରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀଙ୍କ ସହ ଆଲୋଚନା ପାଇଁ ସ୍ଥର କରାଯାଇଥିଲା ସ୍ଥାନ ।
ଚାଷୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସୋମ ପ୍ରକାଶ , ପୀୟୁଷ ଗୋୟଲ ଏବଂ ନରେନ୍ଦ୍ର ସିଂହ ତୋମାର ଏହି ବୈଠକରେ ସାମିଲ ରହିବେ । କୃଷିମନ୍ତ୍ରୀ କହିଛନ୍ତି, ଆମେ ଚାଷୀମାନଙ୍କୁ ଯେଉଁ ବିକଳ୍ପ ପ୍ରଦାନ କରିବୁ ତାହା ସେମାନେ ଆବଶ୍ୟକ କରୁଥିବା ଦାବି ଉପରେ ନିର୍ଭର କରିବ ।
କୃଷି ବିଭାଗ ସଚିବଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ 32 ଚାଷୀନେତାଙ୍କ ନାଁ ସାମିଲ ରହିଛି | ଏମାନେ ସମସ୍ତେ ପଞ୍ଜାବର ଚାଷୀ ନେତା । ତେବେ ପରେ ହରିୟାଣାର ଚାଷୀଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଚାପ ପକାଯାଇଥିଲା | ଏହା ପରେ ହରିୟାଣାର ଗୁରୁନାମ ଚଣ୍ଢୁନି ଏବଂ ମଧ୍ୟପ୍ରଦେଶର କୃଷକ ନେତା ଶିବକୁମାର ଶର୍ମା କାକାଜୀଙ୍କ ନାଁ ମଧ୍ୟ ସାମିଲ କରାଯାଇଛି ।
ଚାଷୀ ଆନ୍ଦୋଳନ ମଧ୍ୟରେ ହରିୟାଣାର ମୋହନଲାଲ ଖଟ୍ଟର ସରକାରଙ୍କୁ ଲାଗିଛି ବଡ ଝଟକା । ନିର୍ଦଳୀୟ ବିଧାୟକ ସୋବବୀର ସାଙ୍ଗୱାନ ରାଜ୍ୟ ସରକାରଙ୍କ ପାଖରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ବିଧାୟକ କହିଛନ୍ତି ଯେ ଚାଷୀମାନଙ୍କ ସହ ଯେପରି ବ୍ୟବହାର କରଯାଇଛି, ଏହାକୁ ଦେଖି ମୁଁ ମୋର ସମର୍ଥନ ପ୍ରତ୍ୟାହାର କରୁଛି ।
ଚାଷୀ ଆନ୍ଦୋଳନକୁ ନେଇ ପଞ୍ଜାବ ମନ୍ତ୍ରୀ ଭାରତ ଭୂଷଣ ଆଶୁ କହିଛନ୍ତି, କେନ୍ଦ୍ର ସରକାର ଖୋଲା ହୃଦୟରେ ଚାଷୀଙ୍କ ଦାବି ଉପରେ ଆଲୋଚନା କରନ୍ତୁ । ତେବେ ଆଲୋଚନା ମଧ୍ୟରେ ସେପଟେ ଗାଜିପୁର-ଗାଜିୟାବାଦ ସୀମାରେ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ଏଥିସହ ଶାହୀନବାଗ ଆନ୍ଦୋଳରେ ସାମିଲ ଦାଦି ବିଲ୍କିସ ବାନୋ ମଧ୍ୟ ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ସିଂଘୁ ସୀମାରେ ପହଞ୍ଚିଛନ୍ତି । ଦାଦି କହିଛନ୍ତି ଆମେ ଚାଷୀମାନଙ୍କର ଝିଅ । ଆମେ ଆଜି ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଆସିଛୁ | ଆମେ ସ୍ବର ଉତ୍ତୋଳନ କରିବୁ ଏବଂ ସରକାର ଆମ କଥା ଶୁଣିବା ଉଚିତ ବୋଲି ସେ କହିଛନ୍ତି ।